ଏନକାଉଣ୍ଟରରେ କୁଲଗାମ ଆଟାକର ମାଷ୍ଟରମାଇଣ୍ଡ୍ ଲତିଫ ଭଟ୍ଟ ନିହତ

୨୧

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର କୁଲଗାମରେ ଭାରତୀୟ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ କୁଲଗାମ ଆଟାକର ମାଷ୍ଟରମାଇଣ୍ଡ୍ ଲତିଫ ଭଟ୍ଟ ନିହତ ହୋଇଥିବା ଖବର ମିଳିଛି । ଲତିଫକୁ ଦେବସର ଅଞ୍ଚଳରେ ଜଙ୍ଗଲପୋରା ଗାଁ ନିକଟରେ ସୁରକ୍ଷାବଳ ଘେରି ଯାଇଥିଲେ । ଭିଡିଓ କଲ୍ ଜରିଆରେ ଲତିଫ ସହିତ ସଂପର୍କ କରାଯାଇଥିଲା । ସେ ଏକ ମସଜିଦରେ ଲୁଚିଥିବା ଜଣାପଡିବା ପରେ ଭିଡିଓ କଲରେ ସରେଣ୍ଡର କରିବା ପାଇଁ କୁହାଯାଇଥିଲା । କିନ୍ତୁ ଲତିଫ ମନା କରିବାରୁ ସୁରକ୍ଷାବଳ ଏନକାଉଣ୍ଟର କରଇଥିଲେ । ଲତିଫ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏହି ଅପରେସନରେ ଭାରତୀୟ ସେନା, ସିଆରପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ସାମିଲ ହୋଇଥିଲେ ।

ଖବର ମୁତାବକ, ନଭେମ୍ଵର ୧୧ରେ କୁଲଗାମରେ ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣରେ ତିନି ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ଏହି ଘଟଣା ପରେ ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା । ବୁଧବାର ସକାଳ ଲତିଫ ଦେବସର ଅଞ୍ଚଳରେ ଜଙ୍ଗଲପୋରା ଗାଁ ନିକଟରେ ଏକ ମସଜିଦରେ ଲୁଚିଥିବା ଖବର ପାଇଥିଲା ସୁରକ୍ଷାବଳ । ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାଯାଇ ସରେଣ୍ଡର କରିବା ପାଇଁ ଆତଙ୍କୀକୁ କୁହାଯାଇଥିଲା । କିନ୍ତୁ ସେ ନ ମାନିବାରୁ ଏନକାଉଣ୍ଟର କରି ନିପାତ କରାଯାଇଛି ।

ଲତିଫ ଭଟ୍ଟ କୁଲଗାମ ଜିଲ୍ଲାର ଖେୱାନ ଚାଡରରେ ରହୁଥିଲା । ୨୦୨୫ ନଭେମ୍ଵରରେ ସେ ଅଚାନକ ଗାଏବ ହୋଇଯାଇଥିଲା । ୧୯ ତାରିଖରେ ତାର ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ଏହାପରେ ସେ ଆତଙ୍କୀ ସଙ୍ଗଠନ ଲଶ୍କର-ଏ-ତୋଇବାରେ ସାମିଲ ହୋଇଥିଲା । ଦକ୍ଷିଣ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଗତିବିଧି ଚଳାଉଥିଲା ।

କୁଲଗାମ ଆକ୍ରମଣର ୨୪ ଘଣ୍ଟା ମଧ୍ୟରେ କିସ୍ତୱାଡ଼ ଜିଲ୍ଲାରେ ଆଉ ଏକ ଆତଙ୍କୀ ଘଟଣା ଘଟିଥିଲା । ଏଥିରେ ଦୁଇ ଜଣ ସ୍ପେଶାଲ ପୋଲିସ ଅଫିସର ବାବି ଚନ୍ଦ ଓ ଯଶପାଲ କୁମାରଙ୍କ ମୃତ୍ୟୁ ହୋଇଥିଲା । ଏକ ଆତଙ୍କବାଦ ବିରୋଧୀ ଅପରେସନରେ ସେନାକୁ ସହଯୋଗ କରିବାକୁ ଯାଉଥିବା ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି ।

Share