ଭୂସ୍ଖଳନ ମୁକାବିଲାରେ ଓଡ଼ିଶାକୁ ସହଯୋଗ କରିବ ଉତ୍ତରାଖଣ୍ଡ, ଖୁବଶୀଘ୍ର ସ୍ୱାକ୍ଷର ହେବ ଏମ୍‌ଓୟୁ

12

ଭୁବନେଶ୍ୱର: ଭୂସ୍ଖଳନ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ସହଯୋଗ କରିବ ଉତ୍ତରାଖଣ୍ଡ । ଏନେଇ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (USDMA) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ମଧ୍ୟରେ ଖୁବଶୀଘ୍ର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବ । ଭୂସ୍ଖଳନ ରୋକିବା, ବିପଦ ଆକଳନ, ନିରୀକ୍ଷଣ ଏବଂ ଆଗୁଆ ସତର୍କ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ସହଯୋଗର ମୁଖ୍ୟ ଉଦ୍ଦେଶ୍ୟ । ଏନେଇ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ପୁନର୍ବାସ ବିଭାଗର ସଚିବ ବିନୋଦ କୁମାର ସୁମନ ଏବଂ OSDMAର ପରାମର୍ଶଦାତା ତଥା ବରିଷ୍ଠ IAS ଅଧିକାରୀ ଡ. କମଳ ଲୋଚନ ମିଶ୍ରଙ୍କ ମଧ୍ୟରେ ଆଲୋଚନା ପରେ ସହମତି ପ୍ରକାଶ ପାଇଛି ।

ଡ. କମଳ ଲୋଚନ ମିଶ୍ରଙ୍କ ନେତୃତ୍ୱରେ OSDMAର ଏକ ବିଶେଷଜ୍ଞ ଅଧିକାରୀ ଦଳ ଉତ୍ତରାଖଣ୍ଡ ଗସ୍ତ କରି USDMAର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଛନ୍ତି । ବିଶେଷକରି ଭୂସ୍ଖଳନ ନିରାକରଣ, ବିପଦ ଆକଳନ, ନିରୀକ୍ଷଣ, ଆଗୁଆ ସତର୍କ ସୂଚନା, ବୈଷୟିକ ପଦକ୍ଷେପ ଏବଂ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଦଳକୁ ସୂଚନା ଦିଆଯାଇଛି । ଡ. ମିଶ୍ର କହିଛନ୍ତି ଯେ, ସାମ୍ପ୍ରତିକ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁଁ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ବ୍ୟାପକ ପ୍ରଭାବିତ ହୋଇଛି । ଏହି ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ଏକ ନୂଆ ଆହ୍ୱାନ ଭାବେ ଉଭା ହୋଇଛି । ଉତ୍ତରାଖଣ୍ଡରେ ଭୂସ୍ଖଳନ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ନୂତନ ଜ୍ଞାନକୌଶଳ ଓଡ଼ିଶା ପାଇଁ ଉପଯୋଗୀ ହୋଇପାରିବ ।

ଅନ୍ୟପକ୍ଷରେ ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ, ବିପର୍ଯ୍ୟୟ ଜନିତ ବିପଦ ହ୍ରାସ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଓ ବୈଷୟିକ କୌଶଳର ଆଦାନପ୍ରଦାନ ଅତ୍ୟନ୍ତ ଜରୁରୀ । ଉତ୍ତରାଖଣ୍ଡରେ ବୈଜ୍ଞାନିକ ଅଧ୍ୟୟନ, ବିପଦପ୍ରବଣ ଅଞ୍ଚଳ ଚିହ୍ନଟ, ରିସ୍କ ମ୍ୟାପିଂ, ଆଗୁଆ ସତର୍କ ସୂଚନା ଏବଂ ସ୍ଥାନୀୟ ସ୍ତରରେ କ୍ଷମତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହ ଉତ୍ତରାଖଣ୍ଡରେ ଭୂସ୍ଖଳନ ନିରାକରଣ ଓ ପରିଚାଳନା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ଉତ୍ତରାଖଣ୍ଡ ଲ୍ୟାଣ୍ଡସ୍ଲାଇଡ୍ ମିଟିଗେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ଭୂତଳ ସ୍ଥିତି ଅନୁଧ୍ୟାନ ପାଇଁ ଆଧୁନିକ ବୈଜ୍ଞାନିକ ପଦ୍ଧତି ସହ ସାଟେଲାଇଟ୍ ଓ ଭୌଗୋଳିକ ସୂଚନା ପ୍ରଯୁକ୍ତିବିଦ୍ୟାର ମଧ୍ୟ ବ୍ୟବହାର କରାଯାଉଛି । ଏହି ସହଯୋଗ ଦ୍ୱାରା ଉତ୍ତରାଖଣ୍ଡର ଅଭିଜ୍ଞତା ଓଡ଼ିଶା ସହ ବାଣ୍ଟିବା ସହ ଉଭୟ ରାଜ୍ୟର ଆବଶ୍ୟକତା ଅନୁଯାୟୀ ନୂତନ ସମାଧାନର ବାଟ ଖୋଜାଯିବ । ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା କମିଟିର ଉପାଧ୍ୟକ୍ଷ ବିନୟ ରୁହେଲା, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ରଘୁବୀର ସିଂ ଭଣ୍ଡାରୀଙ୍କ ସମେତ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

Share