ଭୁବନେଶ୍ବର: ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ପ୍ରଶାସନ । ଗୋପାଳପୁରରୁ ଖଲ୍ଲିକୋଟ ଉପକୂଳ ଯାଏଁ ହାଇଆଲର୍ଟ । କଳିଙ୍ଗା ଘାଟି ସିଲ୍ ହୋଇଛି । ମୁତୟନ ଅଛନ୍ତି ୧୨ ଓଡ୍ରାଫ୍ ଓ ୩ ଏନ୍ ଡିଆର୍ ଏଫ୍ ଟିମ୍ । ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ଗୋପାଳପୁର ନିକଟସ୍ଥ ନୂଆ ଗୋଳାବନ୍ଧର ସମସ୍ତ ପରିବାରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ୧୨ଟି ଓଡ୍ରାଫ୍ , ୩ଟି ଏନ୍ ଡିଆର୍ ଏଫ୍ ଏବଂ ୨୪ଟି ଅଗ୍ନିଶମ ବାହିନୀ ଟିମ୍ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି ।
ବନ୍ୟା ଓ ଜଳବନ୍ଦୀ ସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୨୫ଟି ଦେଶୀ ଡଙ୍ଗା ପ୍ରସ୍ତୁତ ରଖାଯାଇଥିବା ବେଳେ ୧୩ଟି ମେଡିକାଲ ଟିମ୍ ଓ ୨୩ଟି ପ୍ରାଣୀ ଚିକିତ୍ସା ଟିମ୍ କୁ ସଜାଗ ରଖାଯାଇଛି । ସାଟେଲାଇଟ୍ ଜରିଆରେ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇ ଧରାକୋଟ, ଭଞ୍ଜନଗର, ଆସିକା ଓ ପାତ୍ରପୁର ବ୍ଲକ ଉପରେ କଡ଼ା ନଜର ରଖାଯାଇଛି । ବାତ୍ୟା ସମୟରେ ମୋବାଇଲ ନେଟୱର୍କ ବିଚ୍ଛିନ୍ନ ହେଲେ ଯୋଗାଯୋଗ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
