ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର‍୍ୟାଙ୍କ୍‌ର ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର‍୍ୟାଙ୍କ୍‌ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର ତଦନ୍ତ ପାଇଁ ନିଜ ଟିମ୍‌ର ନେତୃତ୍ୱ ନେବେ। ଏଥିରେ ଦୁଇ ମହିଳା ଅଧିକାରୀ ଲଭଲି କଟିୟାର ଓ ନିର୍ମଳା ଦେବୀ ସାମିଲ ହୋଇଛନ୍ତି।

ସୂଚନା ମୁତାବକ, ସମସ୍ତ ଅଧିକାରୀ ଯୁଗ୍ମ ନିର୍ଦ୍ଦେଶକ ଘନଶ୍ୟାମ ଉପାଧ୍ୟାୟଙ୍କୁ ରିପୋର୍ଟ କରିବେ। ଉପାଧ୍ୟାୟ ବିଭିନ୍ନ ମାମଲାରେ ତଦନ୍ତକୁ ନିରୀକ୍ଷଣ କରିବେ। କହି ରଖୁଛୁ କି, ମେ’ ୩ରେ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାକାଣ୍ଡରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ଅଧିକ ଜନସଂଖ୍ୟା ବିଶିଷ୍ଟ ମେତେଇ ସମ୍ପ୍ରଦାୟ ଅନୁସୂଚିତ ଜନଜାତିର ମାନ୍ୟତା ଦାବିରେ ପାହାଡ଼ି ଜିଲ୍ଲାରେ ଆଦିବାସୀ ଏକତା ଶୋଭାଯାତ୍ରା ଆୟୋଜନ କରିବା ବେଳେ ଏହି ହିଂସାକାଣ୍ଡ ଘଟିଥିଲା।

ମଣିପୁରରେ ମୋଟ ଜନସଂଖ୍ୟାରୁ ମେତେଇ ସମ୍ପ୍ରଦାୟଙ୍କ ସଂଖ୍ୟା ରହିଛି ପାଖାପାଖି ୫୩ ପ୍ରତିଶତ, ଯେଉଁମାନେ ଅଧିକାଂଶ ଇମ୍ଫାଲ୍‌ ଘାଟିରେ ରୁହନ୍ତି। ଏପଟେ ଆଦିବାସୀ ନଗା ଓ କୁକି ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ୪୦ ପ୍ରତିଶତ ଥିବା ବେଳେ ଏମାନେ ପାହାଡ଼ି ଜିଲ୍ଲାରେ ବସବାସ କରନ୍ତି।

 

Share