ଢେଙ୍କାନାଳ : ଚାକିରି ଲୋଭରେ ବ୍ୟାଙ୍କରେ ଖାତା ଖୋଲି ୪୪ ଜଣ ଶ୍ରମିକ ଠକେଇର ଶିକାର । ରାଜ୍ୟ ଓ ରାଜ୍ୟ ବାହାରୁ ଆକାଉଣ୍ଟରେ ହୋଇଛି କୋଟି କୋଟି ନେଣଦେଣ । ଏଭଳି ଠକାମୀର ଶିକାର ହୋଇଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ଗାଁର ୪୪ ଜଣ ଶ୍ରମିକ।
ସୂଚନା ଅନୁସାରେ, କଟକ ଜିଲ୍ଲାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରାଇଦେବାକୁ କହିଥିଲେ ଦେବାଶିଷ ଦାସ ନାମତ ଜଣେ ବ୍ୟକ୍ତି । ଢେଙ୍କାନାଳ ସହରରେ ଥିବା ଏକ ବ୍ୟାଙ୍କରେ ୧୫୦୦ ଟଙ୍କା ଲେଖାଁଏ ଜମା ପରେ ଶ୍ରମିକଙ୍କ ଆକାଉଣ୍ଟ ଖୋଲାଯାଇଥିଲା l ବାଲିକୁମା, ପଳାସଟାଙ୍ଗି, ଜିରୋସାହି, ତାରିଣୀପଶି, ଧୂଳିଗୋଠ ଆଦି ଗାଁର ଶ୍ରମିକ ୨୦୨୩ ମସିହାରେ ଖୋଲିଥିଲେ ଆକାଉଣ୍ଟ । ପରେ ଚଞ୍ଚକତା କରି ଶ୍ରମିକଙ୍କ ବ୍ୟାଙ୍କ ପାସବୁକ ନେଇଯାଇଥିଲେ ଦେବାଶିଷ l ହେଲେ ଆକାଉଣ୍ଟ ଖୋଲିବାର ୩ ବର୍ଷ ପରେ କୋଟି କୋଟି ଟଙ୍କା ନେଣଦେଣ ହୋଇଥିବା ନୋଟିସ ପାଇଥିଲେ ଶ୍ରମିକ । ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଶ୍ରମିକମାନଙ୍କ ପାଖକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଥାନାରୁ ନୋଟିସ ଆସିଥିଲା l କାମାକ୍ଷାନଗର SDPOଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି ଶ୍ରମିକ l ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

