ଭୁବନେଶ୍ୱର: ମେ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳି ସରକାରରେ ଚତୁର୍ଥ ବର୍ଷ ଶେଷ ହେବ | ଆଉ ଆଜିଠୁ ଆରମ୍ଭ ହେଇଛି ମନ୍ତ୍ରୀମାନଙ୍କ ବିଭାଗ ସମୀକ୍ଷା, ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ହୋଇଛି | ମନ୍ତ୍ରୀମାନେ କଣ ସବୁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ତାହାର ହିସାବ ନେଇଛନ୍ତି | ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଥିବାବେଳେ ଏହାପରେ ସାମ୍ବାଦିକ ସମ୍ବିଳନୀ କରି ତଥ୍ୟ ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ | ପ୍ରଥମ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ ଓ ସମବାୟ,ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରିପୋର୍ଟ ଦେଇଛନ୍ତି | ସମବାୟ,ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦୁଇ ବିଭାଗର କାମକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି |
ଏଥିରେ ସେ କହିଛନ୍ତି ଯେ, ନିର୍ବାଚନୀ ଇସ୍ତାହାରରେ ଯାହା ପ୍ରତିଶୃତି ଦେଇଥିଲୁ ସବୁ ପୂରଣ କରିଛୁ | ସାଧାରଣ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ବାସ୍ତବତାର ରୂପ ନେଇଛି ନା ନାହିଁ ତାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଆମ ଉପରେ ଖୁସି ଅଛନ୍ତି | ମୁଖ୍ୟତଃ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଥିଲା। ସେ ଅନୁଯାୟୀ ଚଳିତବର୍ଷ ୧୦ ଲକ୍ଷ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହାସହ ଭିଟାମିନଯୁକ୍ତ ଚାଉଳ ସମସ୍ତ ୩୦ଟି ଜିଲ୍ଲାରେ ଦିଆଯାଇଛି। ଚାଷୀଙ୍କୁ ୦% ସୁଧରେ ଋଣ ଦିଆଯାଇଥିବାବେଳେ ୩୨ଲକ୍ଷ ଲୋକ ଏବେ ଋଣ ନେଉଛନ୍ତି। ଚାଷୀଙ୍କ ସୁବିଧା ପାଇଁ ପାକ୍ସ୍ ଗୁଡ଼ିକୁ କମ୍ପ୍ୟୁଟରଜାଇଡ କରାଯାଇଛି । ଏହାସହ ଚାଷୀଙ୍କୁ ହାତପାହନ୍ତାରେ ବ୍ୟାଙ୍କ ସୁବିଧା, ମିନି ଏଟିଏମ୍ ଓ ଏଟିଏମ୍ ବ୍ୟବସ୍ଥା କରାଯାଇଛି |
ଫସଲ ବୀମା ଯୋଜନାରେ ଖରିଫ୍ ଋତୁରେ ଯେଉଁ ପ୍ରିମିୟମ ଚାଷୀମାନେ ଦେଉଥିଲେ ତାହା ଚଳିତ ବର୍ଷ ସରକାର ବହନ କରିବେ ବୋଲି କହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଡାକ୍ତର ବଳକା ସ୍ଥିତି ବର୍ତ୍ତମାନ ରହିଛି | ୨୦୦୦ ମସିହାରେ ପ୍ରତିବର୍ଷ ୩୨୧ ଏମବିବିଏସ ଡାକ୍ତର ଓ ୨୫୪ ଜଣ ବିଶେଷଜ୍ଞ ବାହାରୁଥିବାବେଳେ ଏବେ ପ୍ରତିବର୍ଷ ୨୨୦୦ ଏମବିବିଏସ ଡାକ୍ତର ଓ ୮୨୬ ସ୍ପେସିଆଲିଷ୍ଟ ବାହାରୁଛନ୍ତି | ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସବୁ ଡାକ୍ତର ପଦବୀ ପୂରଣ ହେଇଯିବ |
