ବେଙ୍ଗାଲୁରୁ : ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଷ୍ଟାଡିୟମ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଅଧିକାରୀ କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳାଚକଟା ଘଟଣାରେ ଅତ୍ୟଧିକ ଭିଡ଼କୁ ଦାୟୀ କରିଛନ୍ତି ।
ଦୀର୍ଘ ୧୮ ବର୍ଷରେ ଆରସିବି ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଜୟ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ରହିଥିଲା । ପୋଲିସ ବିଜୟପରେଡକୁ ଅନୁମତି ନ ଦେବାରୁ ଷ୍ଟାଡିୟମ ଆଡକୁ ଫ୍ୟାନ୍ସ ମୁହାଁଇଥିଲେ । ଷ୍ଟାଡିୟମରେ ୩୫ ହଜାର ଲୋକ ବସିବାର କ୍ଷମତା ଥିବା ବେଳେ ୩ରୁ ୫ ଲକ୍ଷ ଲୋକଙ୍କ ଭିଡ଼ ବାହାରେ ଜମିଥିଲା । ଲୋକ ଭାବୁଥିଲେ ଷ୍ଟାଡିୟମରେ ଏଣ୍ଟ୍ରି ମାଗଣା ରହିଛି । ତେଣୁ ମାତ୍ରାଧିକ ଲୋକ ଷ୍ଟାଡିୟମ ଗେଟ୍ ପାଖରେ ପହଞ୍ଚିଥିଲେ ।
ତେବେ ପୂର୍ବରୁ ଷ୍ଟାଡିୟମରେ ହେବାକୁ ଥିବା ସମାରୋହ ପାଇଁ ପାସ୍ ଜାରି କରାଯାଇଥିଲା । କିଛି ଲୋକ ପାସ୍ ପାଇଥିବା ବେଳେ ଅନ୍ୟମାନେ ପାସ୍ ପାଇନଥିଲେ । ପରେ ଷ୍ଟାଡିୟମକୁ ସମସ୍ତଙ୍କୁ ଯିବାକୁ ଅନୁମତି ମିଳିବ ବୋଲି ଗୁଜବ ହେବା ପରେ ଏଭଳି ପରିସ୍ଥିତି ଉପୁଜିଥିଲା ।
ଦଳାଚକଟାର ପ୍ରମୁଖ କାରଣ :
ଷ୍ଟାଡିୟମ କ୍ଷମତା ଠାରୁ ୩ ଲକ୍ଷରୁ ୫ ଲକ୍ଷ ଲୋକ ଅଧିକ ପହଞ୍ଚିଥିଲେ । ଚିନ୍ନାସ୍ବାମୀ ଷ୍ଟାଡିୟମର କ୍ଷମତା ୩୫ ହଜାର ଦର୍ଶକ ।
ଷ୍ଟାଡିୟମରେ ପଶିବା ପାଇଁ କିଛି ଫ୍ୟାନ୍ସ କାନ୍ଥ କଡ଼ରେ ଥିବା ନାଳସ୍ଲାବରେ ଚଢିଥିବା ବେଳେ ଅନ୍ୟ କେତେକ ଗଛ ଉପରେ ଚଢିଥିଲେ ।
ଚିନ୍ନାସ୍ବାମୀ ଷ୍ଟାଡିୟମରେ ଲୋକଙ୍କ ପ୍ରବେଶ ପାଇଁ ସବୁ ଗେଟ୍ ଖୋଲିନଥିଲା । ଯେଉଁଟା ଖୋଲାଯାଇଥିଲା, ତାହା ବହୁତ ଛୋଟ ଥିଲା ।
ଷ୍ଟାଡିୟମକୁ ମାଗଣାରେ ଯିବାକୁ ଅନୁମତି ରହିଛି ବୋଲି କରାଯାଇଥିଲା ମିଛ ଗୁଜବ ।
ପୋଲିସ ରାସ୍ତାରେ କଡ଼ା ସୁରକ୍ଷା ଏବଂ ବ୍ୟବସ୍ଥା କରିଥିବା ବେଳେ ଫ୍ୟାନ୍ସ ମେଟ୍ରୋ ଯୋଗେ ଷ୍ଟାଡିୟମରେ ପହଞ୍ଚିଥିଲେ ।
ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକର୍ମୀ ବହୁତ କମ୍ ଥିଲେ ବୋଲି ଦର୍ଶକଙ୍କ ଅଭିଯୋଗ ।
ସୂଚନାଯୋଗ୍ୟ, ଜୁନ୍ ୩ ତାରିଖରେ ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜିତିବା ପରେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ହୋଇଥିଲା । ପ୍ରଥମେ ବିଜୟ ପରେଡ ପାଇଁ ଯୋଜନା ହୋଇଥିବା ବେଳେ ପରେ ଟ୍ରାଫିକ ଜାମ୍ ଦେଖି ବିଜୟ ପରେଡକୁ ଅନୁମତି ଦେଇନଥିଲା ବେଙ୍ଗାଲୁରୁ ପୋଲିସ । ବିଜୟ ପରେଡ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଥିଲା । ବିଜୟ ପରେଡ ପାଇଁ ଅନୁମତି ନ ମିଳିବାରୁ ଭିଡ଼ ଷ୍ଟାଡିୟମ ବାହାରେ ଜମା ହୋଇଥିଲା । ପ୍ରିୟ ଟିମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଯେଉଁଥି ପାଇଁ ୧୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।