Kaptipada police station

ବାରିପଦା: ଜୁନ୍ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସ ଡିଆଇଜି (ପୂର୍ବ ରେଞ୍ଜ) ସତ୍ୟଜିତ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ କପ୍ତିପଦାର ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ମାଫିଆମାନଙ୍କ ଦ୍ୱାରା ବେଆଇନ ଲଘୁ ଖଣିଜ ପଦାର୍ଥ ଉଠାଣ ଏବଂ ପରିବହନ ବିରୁଦ୍ଧରେ ଚଢାଉ କରିବାକୁ ଯାଇ ତାଙ୍କ କାରରେ ଉପରେ ଆକ୍ରମଣ ହୋଇଥିଲା। ଏହାସହ ତାଙ୍କ ଶାରୀରିକ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ।

ଅଧିକାରୀଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ କପ୍ତିପଦା ପୋଲିସ ଏକ ମାମଲା ରୁଜୁ କରିଛି। ଏଫଆଇଆରରେ ୧୨ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରାଯାଇଛି, ପୋଲିସ ବାକି ଅଭିଯୁକ୍ତଙ୍କୁ ଖୋଜୁଛୁଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କପ୍ତିପଦା ଥାନା ଅଞ୍ଚଳରେ ଥିବା ଏକାଧିକ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ଖବର ପାଇଥିଲେ। ସେ ନିଜ କାର୍‌ ଯୋଗେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ଉ ପାଇଁ ଯାଇଥାଆନ୍ତେ। ହେଲେ ସେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହଠାତ୍‌ ୨୦ରୁ ୨୫ ଜଣ ଲୋକ ତାଙ୍କ କାର୍‌କୁ ଘେରିଯାଇ ଗାଳିଗୁଲଜ କରିଥିଲେ।

ଏମିତି କି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। କାର୍ଯ୍ୟାଳୟ ଗେଟ୍ ବନ୍ଦ ଥିବାରୁ ଅତିରିକ୍ତ ତହସିଲଦାର ମାଝୀ ଜୀବନ ବିକଳରେ କାର୍‌ ନେଇ କପ୍ତିପଦା ଥାନାକୁ ପଳାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଥାନା ପାଖରେ ପହଞ୍ଚି ଯାଇଥିଲେ। ଥାନା ଫାଟକ ବନ୍ଦ ଥିବାରୁ ମାଝୀ ଭିତରକୁ ଯାଇ ପାରିନଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ କାର୍‌ ଉପରକୁ ପଥର ଫିଙ୍ଗି ଭାଙ୍ଗି ଦେଇଥିଲେ। ଅତିରିକ୍ତ ତହସିଲଦାର ମାଝୀଙ୍କୁ କାର୍‌ ଭିତରୁ ଟାଣିଆଣି ନିର୍ଘାତ ମାଡ଼ ମାରିଥିଲେ। ଏହି ସମୟରେ ଥାନା କର୍ମଚାରୀମାନେ ଗେଟ୍ ଖୋଲି ଆସିଯିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।

Share