ଭୁବନେଶ୍ୱର: ରାଜ୍ୟରେ ଅଦୃଶ୍ୟ ଠକଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ପୂରା ଆକାଉଣ୍ଟ। ପୁଲିସ୍, ସରକାରଙ୍କ ପକ୍ଷରୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିଲେ ହେଁ ସାଇବର୍ ଠକମାନେ ଗଳା ବାଟ ବାହାର କରି ଦେଉଛନ୍ତି। ନୂଆ ନୂଆ ଉପାୟରେ ଲୋକଙ୍କୁ ଚୂନ ମାରି ଚାଲିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଠକଙ୍କ ଗୋଟିଚାଳନା ଆଗରେ ପୁଲିସ୍ର ରଣନୀତି ଏକପ୍ରକାର ଫେଲ୍ ମାରୁଛି। ହାତଗଣତି କେତୋଟି ମାମଲାରେ ଠକଙ୍କୁ ଗିରଫ, ଟଙ୍କା ଫେରସ୍ତ ଓ ଠକଙ୍କ ଆକାଉଣ୍ଟ ଅଚଳ କରିବା ବ୍ୟତୀତ ଖାଲି ମାମଲା ରୁଜୁରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ସୀମିତ ରହିଯାଉଛି। ସାଇବର୍ ଠକେଇକୁ ନେଇ ଏବେ ପୁଣି ଏକ ସାଂଘାତିକ ତଥ୍ୟ ପଦାକୁ ଆସିଛି। ଗତ ୫ ମାସ ମଧ୍ୟରେ ସାଇବର୍ ଠକମାନେ ରାଜ୍ୟରୁ ପ୍ରାୟ ୧୪୪କୋଟି ଟଙ୍କା ଉଡ଼ାଇ ନେଇଛନ୍ତି। ହାରାହାରି ଭାବେ ହିସାବ କଲେ, ଦିନକୁ କୋଟିଏ ଟଙ୍କା ଲୁଟୁଛନ୍ତି। ଚଳିତବର୍ଷ ଜାନୁୟାରୀଠାରୁ ମେ’ ମଧ୍ୟରେ ରାଜ୍ୟର ପ୍ରାୟ ୨୦ ହଜାର ଲୋକଙ୍କୁ ଠକମାନେ ବିଭିନ୍ନ ଉପାୟରେ ଚୂନ ମାରିଛନ୍ତି। ହେଲେ, ସେଥିମଧ୍ୟରୁ ପୁଲିସ ମାତ୍ର ୧୬କୋଟି ଟଙ୍କା ଅଚଳ କରିପାରିଛି। ଏହା ମୋଟ ଠକେଇ ପରିମାଣର ମାତ୍ର ୧୧ ପ୍ରତିଶତ ବୋଲି ଜଣାଯାଇଛି।
ଅପରପକ୍ଷେ, ସମ୍ବଲପୁରର ଜଣେ ବ୍ୟବସାୟୀଙ୍କୁ ସାଇବର୍ ଠକ କୋଟିଏ ଟଙ୍କାର ଚୂନ ମାରିଥିବା ଅଭିଯୋଗ ପଦାକୁ ଆସିଛି। ପୁଞ୍ଜିବଜାର (ସେୟାର ମାର୍କେଟ୍)ରେ ନିବେଶ ଆଳରେ ଠକିଛନ୍ତି। ସଂପୃକ୍ତ ବ୍ୟବସାୟୀ ହ୍ବାଟ୍ସଆପ୍ ଯୋଗେ ସେୟାର୍ ମାର୍କେଟ୍ ସମ୍ପର୍କିତ ଏକ ମେସେଜ୍ ପାଇଥିଲେ। ପରବର୍ତ୍ତୀ ସମୟରେ ସେ ଟେଲିଗ୍ରାମ୍ ଗ୍ରୁପ୍ରେ ଯୋଡ଼ି ହୋଇଥିଲେ। ଟଙ୍କା ନିବେଶ କରିଲେ ଅଧିକ ରିଟର୍ଣ୍ଣ ମିଳିବ ବୋଲି ସାଇବର ଠକ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଆପ୍ ଜରିଆରେ ଟଙ୍କା ନିବେଶ କରିବାକୁ ପଡ଼ିବ ବୋଲି କହିଥିଲେ। ବ୍ୟବସାୟୀଜଣଙ୍କ ସେମାନଙ୍କ କଥାରେ ବିଶ୍ୱାସ କରି ଉକ୍ତ ଆପ୍ ଦ୍ୱାରା ସେୟାର ମାର୍କେଟ୍ରେ ଅର୍ଥ ଲଗାଇବା ଆରମ୍ଭ କରିଥିଲେ। କମ୍ପାନୀର ସତ୍ୟାସତ୍ୟ ଜାଣିବା ଲାଗି ଟଙ୍କା ଉଠାଇବାରୁ ଆକାଉଣ୍ଟକୁ ଟଙ୍କା ଆସିଥିଲା। ବିଶ୍ୱାସ ବଢ଼ିିବାରୁ ବ୍ୟବସାୟୀଜଣଙ୍କ ଆହୁରି ଟଙ୍କା ଲଗାଇଥିଲେ। ସେୟାର୍ ମାର୍କେଟରୁ ମିଳୁଥିବା ଲାଭାଂଶ ଆପ୍ ୱାଲେଟ୍ରେ ଦେଖାଉଥିଲା। କିନ୍ତୁ ଗତ ମାସ ଶେଷ ସପ୍ତାହରେ ସେ ପୁଣିଥରେ ଟଙ୍କା ଉଠାଇବାକୁ ଚେଷ୍ଟା କରିବାରୁ ତାଙ୍କ ଆକାଉଣ୍ଟ ବ୍ଲକ୍ ହୋଇଯାଇଥିଲା। ସେତେବେଳକୁ ସେ ୧କୋଟି ୩୧ ଲକ୍ଷ ଟଙ୍କା ହରାଇ ସାରିଥିଲେ। ଏ ସଂପର୍କରେ ସେ ସାଇବର୍ ହେଲ୍ପଡେସ୍କ ଓ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ୨୨ଟି ପର୍ଯ୍ୟାୟରେ ଠକ ତାଙ୍କ ପାଖରୁ ୧କୋଟି ୩୧ ଲକ୍ଷ ୮୬ ହଜାର ଟଙ୍କା ନେଇଥିବା ବେଳେ ପୁଲିସ୍ ମାତ୍ର ୬ଲକ୍ଷ ଟଙ୍କା ଥିବା ସାଇବର୍ ଠକଙ୍କ ଏକ ଆକାଉଣ୍ଟକୁ ଅଚଳ (ଫ୍ରିଜ୍) କରିପାରିଛି।