Nav

ଭୁବନେଶ୍ବର: ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଖାଲି ପ୍ରଚାର ପ୍ରଚାର ସର୍ବସ୍ବ କହି କଡା ସମାଲୋଚନା କରିଛନ୍ତି ନବୀନ ।

ତେବେ ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ବିଜେପି ସରକାରଙ୍କୁ ସମୋଲୋଚନା କରି ନବୀନ କହିଛନ୍ତି, ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ସେମାନେ ଲୋକଙ୍କ ସରକାର । ହେଲେ ଲୋକ କାହାନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ନବୀନ । କେବଳ  ଲମ୍ବା ଭାଷଣ ଏବଂ ବଡ ବଡ ବିଜ୍ଞାପନରେ ବିକାଶ ଆସେ ନାହିଁ ବୋଲି ସକରାରଙ୍କୁ ସମାଲୋଚନା କରିଛନ୍ତି ନବୀନ ।

ଏଥିସହିତ ବିଜୁ ସ୍ବାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଭାରତ କାର୍ଡକୁ ତୁଳନା କରି ନୀବନ କହିଛନ୍ତି, ଆମ ସରକାର ସମୟରେ ଓଡିଶାର ୯୦ ପ୍ରତିଶତ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି । ହଜାର ହଜାର ଲୋକ ହଇରାଣ ହେଉଛନ୍ତି । ସ୍ବାସ୍ଥ୍ୟ ସିଷ୍ଟମ୍ ପୂରା ଭୁଶୁଡି ପଡିଛି । ୩୦ ଜିଲ୍ଲାରୁ ୧୯ରେ ସିଡିଏମଓ ପଦ ଖାଲି ପଡିଛି । ଏହା ହେଉଛି ବର୍ତ୍ତମାନ ସରକାରଙ୍କ ସଫଳତା ବୋଲି କହି କଟାକ୍ଷ କରିଚନ୍ତି ନବୀନ ।

ଏହାବ୍ୟତୀତ ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ପ୍ରଗତିକୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି  ହତାଶ । ମା’ ମାନଙ୍କ  ମନବୋଳ  ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆମ ସରକାର ସମୟରେ ମିଶନ ଶକ୍ତି ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ଏଥିସହିତ କଟନିଛଟନି, ଏମଏସପି, ଚାଷୀଙ୍କୁ ଋଣ ସବୁ କିଛି ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ନବୀନ ।  ଆଉ ବିଜେଡି ସବୁବେଳେ ଓଡିଶାର ଲୋକଙ୍କ ସହିତ ଛିଡା ହୋଇଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Share