ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ହେବ ୧.୫ ଟ୍ରିଲିଅନ ଡଲାର । ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆଜିଠାରୁ ଭିଜନ ଡକୁମେଣ୍ଟ ୨୦୩୬ ଓ ୨୦୪୭ କରି ଯୋଜନା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ ୩୬ଟି ପ୍ରମୁଖ କାର୍ଯ୍ୟ ଲାଗି ନିଷ୍ପତ୍ତି ନିଆଯାଇଛି ।
୨୦୪୭ ସୁଦ୍ଧା ଭାରତରେ ଓଡ଼ିଶାରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିବ । ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋହନ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏହା ସହ ସରକାରଙ୍କ ବର୍ଷକର ଉପଲବଧି ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଥିବା କହିଛନ୍ତି । ବର୍ଷକ ମଧ୍ୟରେ ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଲକ୍ଷପତି ଦିଦି ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛି ଓଡ଼ିଶା ।
ଚାଷୀଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରାଯାଇଛି । ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରାଯାଇଛି । ପୂର୍ବରୁ ବିଜେପି ସରକାରର ବର୍ଷପୂର୍ତ୍ତିରେ ଜୁନ ୧୦ ତାରିଖରେ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।