ଗଞ୍ଜାମ: ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି । ଗଞ୍ଜାମ ଜିଲ୍ଲା ଖରୀଗୁମ୍ମାରୁ ଯାହାଡ଼ା ପର୍ଯ୍ୟନ୍ତ ଦୁଇଜଣଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି ।
ଅଭିଯୋଗ ପରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଧରାକୋଟ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୀଡ଼ିତ ଯୁବକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଉପଜିଲ୍ଲାପାଳ ୧୦ ହଜାର ଟଙ୍କା ଲେଖାଏଁ ଉଭୟ ପରିବାରକୁ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦିଆଯିବାର ପ୍ରତିଶୃତି ଦେଇଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି । ବହୁ ନେତା ଗାଁକୁ ଆସି ଯୁବକଙ୍କୁ ଭେଟୁଛନ୍ତି ।
ଦୁଇ ଦିନ ତଳେ ଖାରିଗୁମ୍ମା ଗାଁର ଦୁଇ ଜଣ ଦଳିତ ବ୍ୟକ୍ତି ଝିଅକୁ ଯୌତୁକ ଦେବା ପାଇଁ ହରିପୁରରୁ ତିନିଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ । ଏତିକି ବେଳେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇବା ସହ ଗୋ ଚାଲାଣ କରୁଥିବା କହି ୩୦ ହଜାର ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଦୁଇ ନିରୀହ ଲୋକକୁ ମାଡ଼ ମାରିବା ସହ ସେଲୁନରେ ଅଧା ଲଣ୍ଡା କରି ଦେଇଥିଲେ । ଏଭଳି ନିର୍ଯାତନା ଆଖିରେ ଦେଖି ହେବନାହିଁ । ସେମାନଙ୍କୁ ଅଧା ଲଣ୍ଡା କରି ଦୁଇ ବ୍ୟକ୍ତିଙ୍କୁ ଖାରିଗୁମ୍ମାରୁ ଜହାଡା ଯାଏଁ ପାଖାପାଖି ଦୁଇ କିଲୋମିଟର ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇ ଥିଲେ ।
ଦୁଇ ଦଳିତକୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମାର ମଇଳା ପାଣି ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ମୁଣ୍ଡ ଆଉ ପିଠିରେ ଗଭୀର ଆଘାତ ଲାଗିଥିଲା । ଧରାକୋଟ ପୋଲିସ ଦୁହିଁଙ୍କୁ ମେଡିକାଲରେ ଚିକିତ୍ସା କରାଇ ତଦନ୍ତ ଚଳାଇ ଥିଲା ।