Mixcollage 07 jul 2024 10 33 am 8085

ପୁରୀ : ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନବ୍ୟାପୀ ଯାତ୍ରା । ଶ୍ରୀକ୍ଷେତ୍ର ହୋଇଯାଇଛି ଜନସମୁଦ୍ର | ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଜନସମୁଦ୍ର ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
ଚଳିତବର୍ଷ ଶ୍ରୀ ଜୀଉମାନଙ୍କର ନୀତି ନିର୍ଘଣ୍ଟ ନିର୍ବିଘ୍ନରେ ସମାପନ ହେଲାପରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା | ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଥିଲା | ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାହେଲା | ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା |
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ରଥରେ ରଥାରୁଢ କରାଯାଇଥିଲା | ଏହାପରେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା | ଅଚଳ ମହାମେରୁ ପ୍ରଭୁ ବଡଠାକୁର ଝୁଲି ଝୁଲି ଆସି ତାଳଧ୍ବଜ ରଥରେ ବିଜେ କରିଥିଲେ | ତାପରେ ଆରମ୍ଭ ହେଲା ମା’ ସୁଭଦ୍ରାଙ୍କ ପହଣ୍ଡି | ଦର୍ପଦଳନ ରଥରେ ବିରାଜିଲେ ଦେବୀ। ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପିଲା ଶ୍ରୀକ୍ଷେତ୍ର ।
ଶେଷରେ ବଡଦେଉଳରୁ ବାହାରିଲେ କାଳିଆ ସୁନା ମହାପ୍ରଭୁ ଜଗନ୍ନାଥ | କାଳିଆ ଠାକୁର ହଲି ହଲି ଝୁଲି ଝଲି ଭକ୍ତଙ୍କ ମେଳରେ ଲୀଳା କରି ଆସି ନନ୍ଦିଘୋଷ ରଥରେ ବିରାଜମାନ ହେଲେ | ତିନିଠାରୁର ରଥାରୁଢ ହେବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ପର୍ବ |

Share