Zzzz

ପୁରୀ : ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିଥିଲେ। ସେ ରାଜାବେଶରେ ରଥ ଉପରେ ଛେରାପହଁରା କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ। ପରେ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଥିଲେ ସେ । ଛେରାପହଁରା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ଅନନ୍ୟ ଓ ଜୀବନ୍ତ ପରମ୍ପରା । ଏହା ବିଶେଷ କରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀର ଗଜପତି ମହାରାଜାଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ । ଏହି ନୀତି କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ପଛରେ ଭକ୍ତି, ସମର୍ପଣ, ସମାନତା ଓ ସାମାଜିକ ସଦ୍‌ଭାବନାର ଏକ ଗଭୀର ଦର୍ଶନ ଲୁଚି ରହିଛି ।
ଛେରାର ଅର୍ଥ ହେଉଛି ଛିଞ୍ଚିବା ବା ସିଞ୍ଚନ କରିବା । ଏହି ନୀତିରେ ରଥ ଉପରେ ସୁଗନ୍ଧିତ ଜଳ, ଚନ୍ଦନ ଓ ଫୁଲ ଛିଞ୍ଚା ଯାଇଥାଏ । ପହଁରାର ଅର୍ଥ ହେଉଛି ଓଳାଇବା ବା ଝାଡୁ କରିବା । ଅର୍ଥାତ୍, ରଥ ଉପରେ ଚନ୍ଦନ ପାଣି ଓ ଫୁଲ ଛିଞ୍ଚି ସୁନା ଖଡ଼ିକାରେ ସଫା କରିବା କାର୍ଯ୍ୟକୁ ହିଁ “ଛେରାପହଁରା” କୁହାଯାଏ । ଏହି ସେବା ପୁରୀର ଗଜପତି ମହାରାଜାଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ । ତାଙ୍କୁ ଶ୍ରୀଜଗନ୍ନାଥଙ୍କର ‘ଆଦ୍ୟ ସେବକ’ ବା ଚଳନ୍ତି ବିଷ୍ଣୁ ଭାବେ ଗ୍ରହଣ କରାଯାଏ ।

Share