6dac1fc8 1ed0 4bb2 b58b 38977d75c786 2025 06 27 18 09 42

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ଭୋରରୁ ମଙ୍ଗଳ ଆଳତି କରାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।
ଚଳିତ ବର୍ଷ ଏହି ମହା ପାର୍ବଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଲକ୍ଷାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ଓ ପରିଜନଙ୍କ ସହ ଆସି ସାମିଲ ହେବା ଦେଖା ଯାଇଥିଲା। ଏଠାରେ ଦିନ ଦ୍ୱିପହରରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତରନାଥ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ଘଣ୍ଟ, ଶଙ୍ଖ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।
ଏଠାରେ ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ଯରେ ଘୋଷଯାତ୍ରାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ଦୃଷ୍ଟିଗୋଚର ହୋଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲା। ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ସମସ୍ତ ବନ୍ଦୋବସ୍ତକୁ ବ୍ୟକ୍ତିଗତ ଭାବରେ ତଦାରଖ କରିଥିଲେ।
ମୁଖ୍ୟ ଅତିଥି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପାରମ୍ପରିକ ଢଙ୍ଗରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସାଂସଦ ବାଁଶୁରୀ ସ୍ଵରାଜ, ମନୋଜ ତିୱାରୀ, ବିଧାୟକ ସତୀଶ ଉପାଧ୍ୟାୟ ଓ ଅନୀଲ ଶର୍ମା, ବିଜେପି ନେତ୍ରୀ ମୃଦୁଳା ଠାକୁର ପ୍ରଧାନ, ବିଜେପି ନେତା ଶୈଳେନ୍ଦ୍ର ସିଂହ ମଣ୍ଟି, ରବୀନ୍ଦ୍ର ଚୌଧୁରୀ ଏବଂ ପୂର୍ବତନ ବିଧାୟକ ସୋମନାଥ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଜନସାଧାରଣ ରଥଯାତ୍ରା ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଅତିଥିମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଅପରାହ୍ନ ୨:୩୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା। ଅଠର ଫୁଟ ଉଚ୍ଚତା ବିଶିଷ୍ଟ ରଙ୍ଗାରଙ୍ଗ ଓ ରାଜକୀୟ ରଥ ଉପରେ ଚାରିଠାକୁରଙ୍କର ବିରାଜମାନର ଦୃଶ୍ୟ ଅଲୌକିକ ଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ, ଠାକୁରମାନଙ୍କ ଉପରେ ପୁଷ୍ପବର୍ଷଣ ଏବଂ ରଥବାଢ଼ରେ ନଡ଼ିଆ ଭାଙ୍ଗି ନିଜକୁ ଧନ୍ୟ ମନେ କରୁଥିବା ଓ ଭକ୍ତିଭାବରେ ଅଭିଭୂତ ହେଉଥିବା ଦେଖା ଯାଇଥିଲା।

Share