ଗଗଗ

ପୁରୀ: ପବିତ୍ର ରଥଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, “ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଦିନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ରକ୍ଷାକର୍ତ୍ତା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର ନାଥ ।” ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ସୁବ୍ୟବସ୍ଥିତ ହୋଇଛି ବୋଲି କହିବା ସହ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ରଥଯାତ୍ରା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ମିଶି ‘ଶ୍ରୀଜଗନ୍ନାଥ ମନ୍ଦିର ସତ୍ୱଲିପି’ ଓ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଦିଗରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ମତ ଦେଇଥିଲେ ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରି ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଜଗଦଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ସେ ବଡ଼ଦାଣ୍ଡରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଅନ୍ନଦାନ ସେବାରେ ସାମିଲ ହୋଇ ଭକ୍ତମାନଙ୍କୁ ପ୍ରସାଦ ବାଣ୍ଟିଥିଲେ ।

ପରିଶେଷରେ, ସେ ପୁରୀ ପୋଲିସ ଦ୍ୱାରା ସ୍ଥାପିତ ଅତ୍ୟାଧୁନିକ “ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର” ପରିଦର୍ଶନ କରିଥିଲେ । ରଥଯାତ୍ରାରେ ପ୍ରଥମ ଥର ପାଇଁ ଡ୍ରୋନ୍ ଓ ଅନ୍ୟାନ୍ୟ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିବାରୁ ସେ ଓଡ଼ିଶା ପୋଲିସକୁ ଭୂୟସୀ ପ୍ରଶଂସା କରିଥିଲେ ।

Share