Screenshot 2025 06 29 021302

ପୁରୀ: ପବିତ୍ର ରଥଯାତ୍ରା ସମୟରେ ପୁରୀରେ ଏକ ବଡ଼ ଅଘଟଣ ଘଟିଛି । ଆଜି ଭୋର ସମୟରେ ଶରଧାବାଲିରେ ରଥ ସମ୍ମୁଖରେ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଭୟାବହ ଘଟଣାରେ ତିନି ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ୨୦ ମିନିଟରେ ପହଡ଼ ଖୋଲିବା ପରେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ଅତ୍ୟଧିକ ଭିଡ଼ କାରଣରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା ଏବଂ ଦଳାଚକଟା ହୋଇଥିଲା ।

ମୃତକଙ୍କ ପରିଚୟ:
ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଭକ୍ତଙ୍କ ପରିଚୟ ମିଳିଛି । ସେମାନେ ହେଲେ:

  • ବାସନ୍ତୀ ସାହୁ (୩୬), ଖୋର୍ଦ୍ଧା ଜିଲ୍ଲା ଗୋବର୍ଦ୍ଧନପୁର

  • ପ୍ରେମକାନ୍ତ ମହାନ୍ତି (୭୮), ଭୁବନେଶ୍ୱର ନୟାପଲ୍ଲୀ

  • ପ୍ରଭାତୀ ଦାସ, ବାଲିପାଟଣା ଅଠାନ୍ତର

ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ:
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରବଳ ଭକ୍ତଙ୍କ ସମାଗମ ମଧ୍ୟକୁ ଏକ ଚାର କାଠ ବୋଝେଇ ଟ୍ରକ୍ ପଶିଯିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଥିଲା । ଏହି ଘଟଣାରେ ପ୍ରାୟ ୫୦ ଜଣ ଭକ୍ତ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ଏହି ଦୁଃଖଦ ଘଟଣା ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, “ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇଛି । ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏହି ଘଟଣାରେ ପଦକ୍ଷେପ ଗ୍ରହଣ କରିବେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

Share