ପୁରୀ: ଘୋଷଯାତ୍ରାର ତୃତୀୟ ଦିବସରେ ଭକ୍ତିମୟ ପରିବେଶ ମଧ୍ୟରେ ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୋଟିଏ ଦିନ ବିଳମ୍ବରେ, ରବିବାର ସନ୍ଧ୍ୟାରେ ଗୋଟି ପହଣ୍ଡିରେ ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି।
ଏହା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥ ଉପରେ ଶ୍ରୀବିଗ୍ରହଙ୍କର ସମସ୍ତ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ଏବଂ ମଧ୍ୟାହ୍ନଧୂପ ପରେ ସନ୍ଧ୍ୟାଧୂପ ନୀତି ଶେଷ କରାଯାଇଥିଲା।
ସନ୍ଧ୍ୟାଧୂପ ପରେ ପହଣ୍ଡି ପାଇଁ ଚାରମାଳ ବନ୍ଧାଯାଇ ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟ, କାହାଳୀ, ହୁଳହୁଳି ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ପ୍ରଥମେ ପ୍ରଭୁ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଶେଷରେ ଟାହିଆ ହଲାଇ ଝୁଲି ଝୁଲି ପହଣ୍ଡିରେ ଆସିଥିଲେ କାଳିଆ ଠାକୁର। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।
ଆଜି ରାତିରେ ଆଡ଼ପ ମଣ୍ଡପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହେବ। ତେବେ ଆଜି ଭକ୍ତମାନେ ଆଡ଼ପ ମଣ୍ଡପରେ ଦର୍ଶନ ପାଇବେ ନାହିଁ। ଆସନ୍ତାକାଲି (ସୋମବାର) ସକାଳୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ସହିତ ବହୁ ପ୍ରତୀକ୍ଷିତ ‘ଆଡ଼ପ ଅବଢ଼ା’ ମଧ୍ୟ ଉପଲବ୍ଧ ହେବ।