Bcci logo 2025 07 23 17 45 24

ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍‌ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସନ୍ଦର୍ଭରେ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ବିସିିସିଆଇ ସମ୍ପାଦକ ଦେବଜିତ ସାଇକିଆ ପତ୍ର ଲେଖି ଜଣାଇଛନ୍ତି ଯେ ଉକ୍ତ ଏଜିଏମ୍‌ରେ ବିସିସିଆଇର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏହାସହ ବିସିସିଆଇର ଆପେକ୍ସ କାଉନ୍‌ସିଲ ଗଠନ ଏବଂ ଆଇପିଏଲ୍‌ ଓ ଡବ୍ଲ୍ୟୁପିଏଲ୍‌ର ପରିଚାଳନା ପରିଷଦ ଗଠନ ମଧ୍ୟ ଏଜିଏମ୍‌ର କାର୍ଯ୍ୟସୂଚୀ (ଏଜେଣ୍ଡା)ରେ ରହିଛି। ସାଧାରଣ ପରିଷଦର ଜଣେ ଏବଂ ଭାରତୀୟ କ୍ରିକେଟର୍ସ ସଂଘ (ଆଇସିିଏ)ର ୨ ଜଣ ପ୍ରତିନିଧିଙ୍କୁ ଆପେକ୍ସ କାଉନ୍‌ସିଲରେ ସାମିଲ କରିବ ବିସିସିଆଇ। ତେବେ ସମସ୍ତଙ୍କ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଉପରେ; ଯେଉଁମାନେ ଆସନ୍ତା ୩ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌କୁ ପରିଚାଳନା କରିବେ। ଏହି ନିର୍ବାଚନ ଜଷ୍ଟିସ୍ ଲୋଧା କମିଟି ସୁପାରିସରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ବିସିସିଆଇ ସମ୍ବିଧାନ ଅନୁସାରେ ହେବ। ତେବେ ୬ ମାସ ମଧ୍ୟରେ ଲାଗୁ ହେଉଥିବା ନୂତନ କ୍ରୀଡ଼ା ବିଲ୍‌କୁ ବିସିସିଆଇ ଗ୍ରହଣ କଲେ; କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ବଢ଼ିବ ନା ସାନି ନିର୍ବାଚନ ହେବ; ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ, ୩ ବର୍ଷ କର୍ମକର୍ତ୍ତା (ଯୁଗ୍ମ ସମ୍ପାଦକ ଏବଂ ପରେ ସମ୍ପାଦକ) ରହିଥିବା ଆସାମର ଦେବଜିତ ସାଇକିଆ ସମ୍ପାଦକ ପଦ ବଜାୟ ରଖିପାରନ୍ତି। ଗୋଆର ରୋହଣ ଦେଶାଇ ଯୁଗ୍ମ ସମ୍ପାଦକ ଓ ଛତିଶଗଡ଼ର ପ୍ରଭତେଜ ସିଂହ ଭାଟିଆ କୋଷାଧ୍ୟକ୍ଷ ଭାବେ ଆଉ ଏକ କାର୍ଯ୍ୟକାଳ ରହିପାରନ୍ତି। ତେବେ ସଭାପତି ଓ ଉପସଭାପତି ପଦ ନେଇ ସ୍ପଷ୍ଟ ହୋଇନାହିଁ। ଆଇପିଏଲ୍‌ ଅଧ୍ୟକ୍ଷ ଥିବା ଅରୁଣ ସିଂହ ଧୁମଲ ଓ ଅନିରୁଦ୍ଧ ଚୌଧୁରୀଙ୍କ ମଧ୍ୟରୁ ଜଣେ ଉପସଭାପତି ହୋଇପାରନ୍ତି। ତେବେ ଅରୁଣ ଧୁମଲ ୩ ବର୍ଷ କୋଷାଧ୍ୟକ୍ଷ ଏବଂ ପରେ ଆଉ ୩ ବର୍ଷ ଆଇପିଏଲ୍‌ ଅଧ୍ୟକ୍ଷ ଥିବାରୁ ସେ କର୍ମକର୍ତ୍ତା ରହିପାରିବେ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। କାରଣ ଆଇପିଏଲ୍‌ ଅଧ୍ୟକ୍ଷଙ୍କୁ ବିସିସିଆଇ କର୍ମକର୍ତ୍ତା ଭାବେ ଗଣନା କରାଯିବ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ରଜର ବିନ୍ନିଙ୍କ ଇସ୍ତଫା ପରେ ଉପସଭାପତି ଥିବା ରାଜୀବ ଶୁକ୍ଳା ଏବେ ଅସ୍ଥାୟୀ ଭାବେ ସଭାପତି ଦାୟିତ୍ବରେ ଅଛନ୍ତି। ସଭାପତି ଦୌଡ଼ରେ କଂଗ୍ରେସ ନେତା ଶୁକ୍ଳା ସର୍ବାଗ୍ରେ ଅଛନ୍ତି। ବଙ୍ଗଳାର ଅଭିଷେକ ଡାଲମିୟା ମଧ୍ୟ କର୍ମକର୍ତ୍ତା ହୋଇପାରନ୍ତି।

Share