ଏହି ପଲିସି ଅନୁଯାୟୀ, ରାଜ୍ୟ ସରକାରଙ୍କ କୌଣସି ବିଭାଗ ଓ ଅଫିସ୍ ଆଉ ସରକାରୀ ପାଣ୍ଠିରେ ଗିଫ୍ଟ କିଣି ପାରିବେ ନାହିଁ । ଦୀପାବଳି ସମେତ ସମସ୍ତ ପର୍ବପର୍ବାଣୀରେ ଉପହାର କିମ୍ବା ଏଭଳି ସାମଗ୍ରୀ କ୍ରୟ ବାବଦ ଖର୍ଚ୍ଚ ଉପରେ ରାଜ୍ୟ ସରକାର ତୁରନ୍ତ କଟକଣା ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୯ତାରିଖର ନିର୍ଦ୍ଦେଶନାମାକୁ ପାଳନ କରି ରାଜ୍ୟ ସରକାର ଗତକାଲି ନିଜର ସବୁ ଅଫିସ୍ ପାଇଁ ‘ନୋ ଗିଫ୍ଟ ପଲିସି’ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ନୂଆବର୍ଷରେ କ୍ୟାଲେଣ୍ଡର ଓ ଡାଏରୀ ବାବଦରେ କରୁଥିବା ଖର୍ଚ୍ଚ ଉପରେ କଟକଣା ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ ।
ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଉଦ୍ୟୋଗ(ପିଏସୟୁ), କେନ୍ଦ୍ରୀୟ ପିଏସୟୁ ଗୁଡ଼ିକରେ ଦୀପାବଳି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଉପହାର କିମ୍ବା ଏ ସଂକ୍ରାନ୍ତୀୟ ଜିନିଷପତ୍ର କ୍ରୟ ଏବଂ ଆଦାନପ୍ରଦାନ ବାବଦରେ କୌଣସି ଅର୍ଥ ଖର୍ଚ୍ଚ କରାଯିବ ନାହିଁ। ଏହି ନିଷ୍ପତ୍ତି (Odisha Finance) ରାଜକୋଷର ସୁଚିନ୍ତିତ ତଥା ଉପଯୁକ୍ତ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ନିଆଯାଇଥିବା ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ରାଜ୍ୟ ଅର୍ଥ ବିଭାଗ ମଧ୍ୟ ସମସ୍ତ ରାଜ୍ୟ କାର୍ଯ୍ୟାଳୟକୁ ଏହି କଟକଣାକୁ କଡ଼଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଦ୍ୱାରା ୨୦୨୫ ମସିହା ସେପ୍ଟେମ୍ବର ୧୯ତାରିଖରେ ଜାରି ହୋଇଥିବା ସର୍କୁଲାରର ନକଲକୁ ମଧ୍ୟ ଏହି ନିର୍ଦ୍ଦେଶନାମା ସହ ସଂଲଗ୍ନ କରିଛନ୍ତି ରାଜ୍ୟ ଅର୍ଥ ସଚିବ ଶ୍ରୀ ମିଶ୍ର । କେନ୍ଦ୍ର ସରକାରଙ୍କ ଏହି ନୀତି ଦୀପାବଳି ଓ ଅନ୍ୟାନ୍ୟ ପର୍ବ ପାଇଁ ଉପହାର ଓ ଏସଂକ୍ରାନ୍ତୀୟ ସାମଗ୍ରୀ କ୍ରୟ ବାବଦ ଖର୍ଚ୍ଚ ଉପରେ କଟକଣା ଜାରି କରିଛି ।

