ନୂଆଦିଲ୍ଲୀ : ଦିଲ୍ଲୀ ଜନକପୁରୀ ଅଞ୍ଚଳରେ ନୋଏଡା ଘଟଣାର ପୁନରାବୃତ୍ତି । ଜନପୁରୀ ଅଞ୍ଚଳରେ ଏକ ଗାତରେ ପଡ଼ି ଯୁବକଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣକ କୈଳାଶପୁରୀରେ ରହୁଥିଲେ ।
ସୂଚନା ମୁତାବକ, କମଲ ଗତକାଲି ରାତିଲେ ରୋହିଣୀ ସ୍ଥିତ ଅଫିସରୁ ଘରକୁ ଫେରୁଥିଲେ । ରାସ୍ତାରେ ଘର ଲୋକଙ୍କ ସହିତ କଥା ହୋଇଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । କମଲ ଘରକୁ ନ ଫେରିବାକୁ ପରିବାର ଲୋକ ତାଙ୍କୁ ବହୁତ ଖୋଜା ଖୋଜି କରିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ରାତି ସାରା ଖୋଜିବା ପରେ ମଧ୍ୟ କିଛି ସନ୍ଧାନ ପାଇନଥିଲା । ହେଲେ ସକାଳୁ ପୋଲିସକୁ ଏକ ବାଇକରେ ଗାତରେ ପଡ଼ି ମ୍ତ୍ୟୁବରଣ କରିଥିବା ଖବର ମିଳିଥିଲା ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି କମଲଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲା । କମଲ ରାତିରେ ଫେରୁଥିବା ବେଳେ ବାଇକ୍ ସହିତ ଏକ ଗାତରେ ପଡିଯାଇଥିଲେ । ଦିଲ୍ଲୀର ଜଳ ବୋର୍ଡ କାମ ପାଇଁ ଏହି ଗାତ ଖୋଳାଯାଇଥିଲା । ଅନ୍ଧାରରେ ନ ଦେଖିପାରିବାରୁ କମଲ ବାଇକ ସହିତ ଗାତରେ ପଡିଥିବା ଆଶଙ୍କା କରାଯାଉଛି । ଆଉ ରାତିରେ ଗାତରୁ ବାହାରି ପାରିନଥିଲେ ।
କମଲଙ୍କ ମୃତ୍ୟୁ ପରେ ତାଙ୍କ ସାଙ୍ଗ କହିଛନ୍ତି, ଆମେ ଥାନାକୁ ଯାଇଥିଲୁ, ଆମର ରିପୋର୍ଟ ଦାୟର କଲେ ନାହିଁ । ବହୁତ ଚାପ ପକାଇବା ପରେ ଲୋକେସନ ମିଳିଥିଲା । ଆମେ ସମସ୍ତେ ଅନେକ ଥାନାର ଦ୍ବାରସ୍ଥ ହୋଇଥିଲୁ, ରାତି ସାରା ଖୋଜିଥିଲୁ । ଏହା ପୋଲିସଙ୍କର ଭୁଲ୍ । ଯଦି ସେମାନେ ରାତିରେ ଖୋଜିଥାନ୍ତେ, ହୁଏତ ଆମ ସାଙ୍ଗ ଆଜି ବଞ୍ଚିଯାଇଥାନ୍ତା । ଏଠାରେ ଗାତ ଖୋଳାଯାଇଛି, ହେଲେ ବ୍ୟାରିକେଡ ନାହିଁ, ଅନ୍ୟପଟେ ବ୍ୟାରିକେଡ ଲାଗିଥିଲା । ଆମେ ରାତିରେ ଗାତ ଚେକ୍ କରିଥିଲୁ, ଏଠାରେ କିଛି ନଥିଲା । ଆମ ସାଙ୍ଗକୁ କେହି ଜଣେ ହତ୍ୟା କରିଥିବା ପରି ମନେ ହେଉଛି ।
ତେବେ ଏହି ଘଟଣାକୁ ନେଇ ଆପର ଦିଲ୍ଲୀ ଅଧ୍ୟକ୍ଷ ସୌରଭ ଭରଦ୍ବାଜ ଏକ୍ସରେ ଲେଖିଛନ୍ତି, ରାସ୍ତାରେ ଖାଲ ଯୋଗୁଁ ଜଣେ ନିରୀହ ଲୋକ ଜୀବନ ଚାଲିଗଲା । ରାତିସାରା ପଡି ରହି ଯୁବକଙ୍କ ଜୀବନ ଗଲା । ନୋଏଡା ଘଟଣା ପରେ ଦିଲ୍ଲୀ ସରକାର କିଛି ଶିକ୍ଷା ପାଇଲେନି ।

