Pakistan

ପାକିସ୍ତାନ : ପାକିସ୍ତାନର ଇସଲାମାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ପାଖାପାଖି ୨୫୦ ଜଣ ଆହତ ହୋଇଛନ୍ତି । ସିଆ ମସଜିଦ୍ କସର୍-ଏ-ଖାଦିଜାତୁଲ କୁବ୍ରାରେ ନମାଜ ପାଠ କରୁଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ସୂଚନାନୁଯାୟୀ, ମସଜିଦରେ ବିସ୍ଫୋରଣ ହେବା ପରେ ଇସଲାମାବାଦରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଫଳରେ ପୋଲିସ୍ ଏବଂ ସୁରକ୍ଷା ବାହିନୀ ସିଆ ମସଜିଦର ଚାରିପାଖ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି । ଏଥିସହ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇଛି । ବିସ୍ଫୋରଣର କାରଣ କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଅସ୍ପଷ୍ଟ ରହିଛି । ଜଣେ ବ୍ୟକ୍ତି ମସଜିଦ୍ ଗେଟ୍ ପାଖରେ ନିଜକୁ ବୋମା ପକାଇ ବିସ୍ଫୋରଣ ଘଟାଇଥିଲେ ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ଏହି ସୂଚନା ପାଇ ଇସଲାମାବାଦ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରୁଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ପାକିସ୍ତାନର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (PIMS) ଏବଂ CDA ହସ୍ପିଟାଲକୁ ନିଆଯାଇଛି ।

ଏହି ସମୟରେ ପିଆଇଏମଏସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି)ଙ୍କ ନିର୍ଦ୍ଦେଶକ୍ରମେ, ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟ ଜରୁରୀକାଳୀନ, ଅର୍ଥୋପେଡିକ, ପୋଡ଼ା କେନ୍ଦ୍ର ଏବଂ ନ୍ୟୁରୋଲୋଜି ବିଭାଗଗୁଡ଼ିକୁ ସକ୍ରିୟ କରାଯାଇଛି ।

ସୂଚନାଯୋଗ୍ୟ ପ୍ରାୟ ତିନି ମାସ ପୂର୍ବରୁ ଅର୍ଥାତ୍ ୧୧ ନଭେମ୍ବର ୨୦୨୫ରେ ଇସଲାମାବାଦର G-୧୧ ଅଞ୍ଚଳରେ ଥିବା ଏକ ଜିଲ୍ଲା ଏବଂ ସେସନ୍ସ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଏଥିରେ ୧୨ ଜଣ ଲୋକ ପ୍ରାଣ ହରାଇଥିଲାବେଳେ ୩୦ ରୁ ଅଧିକ ଆହତ ହୋଇଥିଲେ ।

Share