କଟକ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ହାଇକୋର୍ଟଙ୍କ ୩ ମାସର ଡେଡ୍ ଲାଇନ । ୧୯୭୮ର ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହିପରି ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ସମ୍ପୂର୍ଣ୍ଣ ଗଣତିମଣତି ୩ ମାସ ଭିତରେ ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ତାଲିକାକୁ ଆଧାର କରି ଏହି ଯାଞ୍ଚ କରାଯିବ ।
ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ଏମ୍. ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି, ୧୯୭୮ର ତାଲିକା ହିଁ ମୁଖ୍ୟ ଆଧାର ହେବ । ନୂତନ କମିଟି ଦ୍ୱାରା ଗଣତିକୁ ପୁରୁଣା ରେକର୍ଡ ସହ ମେଳ କରାଯିବ । ଯାହାଦ୍ୱାରା ସେ ସମୟରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ଜଣାପଡ଼ିବ । ପ୍ରତ୍ନତତ୍ତ୍ୱ ବିଭାଗ-ASI ଦ୍ୱାରା ରତ୍ନଭଣ୍ଡାରର ମରାମତି କାମ ଶେଷ ହୋଇସାରିଛି । ତେଣୁ ଏବେ ସରକାର ବସି ନ ରହି ତୁରନ୍ତ ଗଣତି ପ୍ରକ୍ରିୟା ଶେଷ କରିବା ଉଚିତ । ସେହିପରି ରତ୍ନଭଣ୍ଡାରର ଚାବି ହଜିବା ସମ୍ପର୍କିତ ତଦନ୍ତ କମିଟିର ରିପୋର୍ଟ ଉପରେ କୋର୍ଟ କହିଛନ୍ତି , ନିୟମ ଅନୁଯାୟୀ ରିପୋର୍ଟକୁ ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବା ଆବଶ୍ୟକ ।
ଅନ୍ୟପଟେ ଏହି ପ୍ରସଙ୍ଗରେ କୌଣସି ପ୍ରକାର ଅବହେଳା କରାଯାଇପାରିବ ନାହିଁ । ତୁରନ୍ତ ପଦକ୍ଷେପ ନେବା ସରକାରଙ୍କ କର୍ତ୍ତବ୍ୟ ବୋଲି ବିଚାରପତି ଗୁରୁତ୍ୱାରୋପ କରିଛନ୍ତି । ୩ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ସରକାର ହାଇକୋର୍ଟରେ ଅନୁପାଳନ ରିପୋର୍ଟ ପ୍ରଦାନ କରିବେ ।

