Vigilance 1

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ ବେଆଇନ୍ ଭାବେ ବାଲି ଉଠାଇ ନେଉଥିଲେ । ଏନେଇ ରାଜସ୍ୱ ବିଭାଗ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରି ନେବା ସହ ଏନେଇ ୩୦ ହଜାର ଟଙ୍କା ଜରିମାନା ପକାଇଥିଲେ ।

ଏହାପରେ କିଛି କର୍ମଚାରୀ ଜରିମାନା ଅର୍ଥ ଠାରୁ ଅଧିକ ଟଙ୍କା ଟ୍ରାକ୍ଟର ମାଲିକଙ୍କୁ ଦାବି କରିଥିଲେ। ଫଳରେ ଟ୍ରାକ୍ଟର ମାଲିକ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ସହ ଯୋଗାଯୋଗ କରିଥିଲେ। ଆଜି ପୂର୍ବ ଯୋଜନା ଅନୁଯାୟୀ ଟ୍ରାକ୍ଟର ମାଲିକ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ରସିଦଠାରୁ ଅଧିକ ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜଣେ କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏଥିସହ ଏହି ମାମଲାରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ଆରଆଇଙ୍କୁ ଉଠାଇ ନେଇଥିଲା ବ୍ରହ୍ମପୁର ଭିଜିଲାନ୍ସ।

Share