ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । ଆଉ ଏହି ଦାବିକୁ ମୋଦି କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଚଳିତବର୍ଷ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପଦକ୍ଷେପ ନିଆଯାଇଛି ।
ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେବା ତୀର୍ଥକୁ ସ୍ଥାନାନ୍ତରିତ ହେବା ପରେ ଆଜି ମୋଦି କ୍ୟାବିନେଟର ପ୍ରଥମ ବୈଠକ ହୋଇଥିଲା । କେରଳ ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଚାହୁଁଥିଲେ କି, କେନ୍ଦ୍ର ସରକାର ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ ଥିବା ସମସ୍ତ ଭାଷା ମଧ୍ୟ ଦକ୍ଷିଣ ରାଜ୍ୟ କେରଳର ନାମ ବଦଳାଇ କେରଳମ୍ କରିଦିଅନ୍ତୁ । ତେଣୁ କେରଳ ବିଧାନସଭା ଅଗଷ୍ଟ ୨୦୨୩ରେ ସର୍ବସମ୍ମତି ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଇଥିଲେ।
କେରଳ ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି କେରଳର ନାମକୁ ‘କେରଳମ୍’ କରିବା ପାଇଁ ଦାବି କରିଥିଲେ । ଚନ୍ଦ୍ରଶେଖର ଚିଠିରେ କହିଥିଲେ ଯେ ‘କେରଳମ’ ନାମ ମାଲାୟଲମ ଭାଷା ଏବଂ ରାଜ୍ୟର ସାଂସ୍କୃତିକ ପରିଚୟ ସହିତ ଗଭୀର ଭାବରେ ଜଡିତ । ଜୁନ୍ ୨୦୨୪ ରେ, କେରଳ ବିଧାନସଭା ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ କରି ସରକାରୀ ଦଲିଲରେ ରାଜ୍ୟର ନାମ “କେରଳ” ରୁ “କେରଳମ” କରିବା ପାଇଁ ଦାବି କରିଥିଲା ।

