ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସରକାର । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାର୍ଜିଲିଂ ସାନ୍ତାଳୀ ସମ୍ମିଳନୀ ବେଳେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ତ୍ରୁଟି ନେଇ ଅଭିଯୋଗ ହେବା ପରେ ଆକ୍ସନ ମୁଡ୍ରେ ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ସଚିବ । ଜବାବରେ ରାଜ୍ୟ ସରକାରଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭ ମାର୍ଚ୍ଚ ୨୦୨୬ରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡ଼ିରେ ୯ମ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ ଥିଲା । ପ୍ରଥମେ ସିଲିଗୁଡି ନିକଟସ୍ଥ ବିଧାନନଗରରେ ଅନୁଷ୍ଠିତ ହେବାର ଥିଲା, ଯେଉଁଠାରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇପାରିଥାନ୍ତେ । କିନ୍ତୁ, ସୁରକ୍ଷା/ଭିଡ଼/ଅନ୍ୟାନ୍ୟ କାରଣ ଦର୍ଶାଇ ରାଜ୍ୟ ପ୍ରଶାସନ ଅନୁମତି ମନା କରିଦେଇଥିଲା, ତେଣୁ ଏହାକୁ ଗୋସାଇଁପୁରକୁ ସ୍ଥାନାନ୍ତର କରାଯାଇଥିଲା ।
ରାଷ୍ଟ୍ରପତିଙ୍କ ଆଗମନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା କୌଣସି ରାଜ୍ୟ ସରକାରଙ୍କ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିନଥିଲେ । ପ୍ରୋଟୋକଲ ଅନୁଯାୟୀ, ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀ ଉପସ୍ଥିତ ଥାଆନ୍ତି ହେଲେ ରାଷ୍ଟ୍ରପତିଙ୍କ ଗସ୍ତରେ କୌଣସି ରାଜ୍ୟ ସରକାରଙ୍କ ମନ୍ତ୍ରୀ ନଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି, ଏବଂ ଏହା ଗଣତନ୍ତ୍ର ଏବଂ ଆଦିବାସୀ ସଶକ୍ତିକରଣରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଏକ ଦୁଃଖଦ ସଙ୍କେତ ।

