Nitish 1

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜେଡିୟୁରେ ଯୋଗ ଦେଇଛନ୍ତି । ସେ ପାଟନା ସ୍ଥିତ ଜେଡିୟୁ ଅଫିସରେ ସଦସ୍ୟତା ପଦ ଗ୍ରହଣ କରିଛନ୍ତି । ଏହି ସମୟରେ ପାର୍ଟିର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ନୀତିଶ କୁମାର ଦୁଇ ଦଶନ୍ଧିରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ପରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ନିଶାନ୍ତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରୁଛନ୍ତି । ନୀତିଶ କୁମାର ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରାଜ୍ୟସଭାରେ ଯୋଗ ଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ଯିବା ନେଇ ଚର୍ଚ୍ଚା ହେଉଛି । ତେବେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ନିଶାନ୍ତଙ୍କ ଯୋଗଦାନ ଉତ୍ସବରେ ଦଳର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ନିଶାନ୍ତ କହିଥିଲେ, ‘ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନେ ମୋ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ମୁଁ ତାହା ପୁରା କରିବାକୁ ଚେଷ୍ଟା କରିବି । ମୋ ବାପା ୨୦ ବର୍ଷରେ ଯେଉଁ ବାର୍ତ୍ତା ଦେଇଥିଲେ, ତାହା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ମୁଁ ଚେଷ୍ଟା କରିବି । ମୋ ବାପା ସେହି ୨୦ ବର୍ଷରେ ଯାହା ହାସଲ କରିଥିଲେ ତାହା ମୋ ପାଇଁ ଏବଂ ସମଗ୍ର ଦେଶ ପାଇଁ ଗର୍ବିତ ।’

Share