Indigo

ନୂଆଦିଲ୍ଲୀ : ମଝି ଆକାଶରେ ଇଞ୍ଜିନ ତ୍ରୁଟି  । ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଇଣ୍ଡିଗୋ 6E 579ର ଜରୁରୀ ଅବତରଣ କରିଛି  । ୧୬୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଯାତ୍ରା କରୁଥିଲା। ବିମାନର ଇଞ୍ଜିନରେ ତ୍ରୁଟି ଥିବା ସନ୍ଦେହ କରାଯାଉଛି ।

ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, ଏବଂ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ବୋଲି ଅଗ୍ନିଶମ ବିଭାଗ କହିଛି । ଅଗ୍ନିଶମ ବିଭାଗ ପୂର୍ବାହ୍ନ ୧୦:୫୩ ରେ ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇଥିଲା ଏବଂ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା ।  ଅନ୍ୟପକ୍ଷରେ, ଇଣ୍ଡିଗୋ ପ୍ରଶାସନ ଇଞ୍ଜିନ ତ୍ରୁଟିର କାରଣ ବିଷୟରେ ଏକ ବିସ୍ତୃତ ଯାଞ୍ଚ୍ କରୁଥିବା କହିଛି । ଯାହା ଦ୍ଵାରା ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡାଯାଇ ପାରିବ ।

ସେହିପରି ଜାନୁୟାରୀ ୩୦ ରେ ଇଣ୍ଡିଗୋର ଏକ ବିମାନ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା  । କୁୱେତରୁ ଦିଲ୍ଲୀ ଯାଉଥିବା ଏକ ବିମାନକୁ ବୋମା ଧମକ ମିଳିଥିଲା  ।  ଯାହା ପରେ ସେହି ବିମାନରେ ଯାତ୍ରା କରୁଥିବା ୧୮୦ ଜଣ ଯାତ୍ରୀଙ୍କର ଲଗେଜକୁ ଯାଞ୍ଚ କରାଯାଇଥିଲା  । କୁୱେତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ଟିସୁ ପେପରରେ ଲେଖାଯାଇଥିବା ଏକ ନୋଟ ମିଳିଥିଲା । ଯେଉଁଥିରେ ବିମାନକୁ ଅପହରଣ କରି ଉଡ଼ାଇ ଦିଆଯିବାର ଧମକ ଥିଲା । ଫଳରେ ଏପରି ସୂଚନା ପାଇବା ମାତ୍ରେ  ବର୍ତ୍ତମାନ ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା ।  ଏହା ବ୍ୟତୀତ ଯାତ୍ରୀମାନଙ୍କୁ ଟର୍ମିନାଲର ଏକ ସୁରକ୍ଷିତ ଅଂଶକୁ ନିଆଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକୁ ପୂର୍ବରୁ ସତର୍କ କରାଯାଇଥିଲା । ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ ମଧ୍ୟ କରାଯାଇଥିଲା ।

Share