‘ଆକ୍ସିଓ’ ଦ୍ବାରା ପ୍ରକାଶିତ ସୂତ୍ର ଅନୁଯାୟୀ, ଇରାନର ଆଭ୍ୟନ୍ତରୀଣ ଅଶାନ୍ତି ନେଇ ଭାନ୍ସ ସିଧାସଳଖ ଯୁଦ୍ଧ ପୂର୍ବରୁ ନେତାନ୍ୟାହୁଙ୍କ ଆକଳନକୁ ଚାଲେଞ୍ଜ କରିଛନ୍ତି। ‘ଆକ୍ସିଓ’ ଅନୁଯାୟୀ, ଭାନ୍ସ କହିଛନ୍ତି ଯେ, ଯୁଦ୍ଧ ପୂର୍ବରୁ ନେତାନ୍ୟାହୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଇରାନରେ କ୍ଷମତା ପରିବର୍ତ୍ତନ ପୂରାପୂରି ସହଜ ବୋଲି ଖୁବ୍‌ ସହଜରେ ବୁଝାଇ ଦେଇଥିଲେ। ନେତାନ୍ୟାହୁଙ୍କ ଅନେକ ଆକଳନ ଆଶାବାଦୀ ଥିଲା ବୋଲି ଭାନ୍ସ କହିଥିଲେ।

ଏହି ଫୋନ୍‌ କଲର ଦିନକ ପରେ ୱେଷ୍ଟ ବ୍ୟାଙ୍କରେ ହିଂସାକୁ ନେଇ ଭାନ୍ସ ନେତାନ୍ୟାହୁଙ୍କ ଉପରେ ଚିତ୍କାର କରିଥିଲେ ବୋଲି ଇସ୍ରାଏଲର ଏକ ଦକ୍ଷିଣପନ୍ଥୀ ଖବରକାଗଜ ପ୍ରକାଶ କରିଥିଲା। ତେବେ ଏହି ରିପୋର୍ଟର ବାସ୍ତବିକତାକୁ ନେଇ ଆମେରିକୀୟ ଓ ଇସ୍ରାଏଲୀୟ ସୂତ୍ର ମଧ୍ୟରେ ମତଭେଦ ଦେଖାଯାଇଛି। ଭାନ୍ସଙ୍କୁ ଇସ୍ରାଏଲ ସରକାରରେ ଥିବା କିଛି ଲୋକ ବଦନାମ କରିବାକୁ ଏପରି ଷଡ଼ଯନ୍ତ୍ର କରୁଥିବା ହ୍ବାଇଟ୍‌ ହାଉସ ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପରି ଖବର ପ୍ରକାଶନ କରାଯିବାରେ ସେମାନଙ୍କର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି।