ନୂଆଦିଲ୍ଲୀ: କୁଏତରେ ଇରାନର ଆକ୍ରମଣ । ଇରାନର ମିସାଇଲ ମାଡ଼ରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ କୁଏତର ଏକ ବିଦ୍ୟୁତ ଉତ୍ପାଦନ ଓ ଜଳ ବିଶୋଧନ କେନ୍ଦ୍ର ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ପ୍ଲାଣ୍ଟର ଏକ ବିଲ୍ଡିଂ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛି । କୁଏତର ବିଦ୍ୟୁତ ଓ ଜଳ ସମ୍ପଦ ମନ୍ତ୍ରଣାଳୟର ମୁଖପାତ୍ର ଫାତିମା ଆବାସ ଜୱହର ହୟାତ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆକ୍ରମଣ ପରେ ତୁରନ୍ତ ଜରୁରୀକାଳୀନ ଟିମ୍ ସେଠାରେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସହରରେ ବିଦ୍ୟୁତ କିମ୍ବା ଜଳ ଯୋଗାଣ ବାଧାପ୍ରାପ୍ତ ହୋଇନାହିଁ। ପଶ୍ଚିମ ଏସିଆରେ ଚାଲିଥିବା ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ପ୍ରାୟ ୭ ଜଣ ଭାରତୀୟ ପ୍ରାଣ ହରାଇଲେଣି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ଯୋଗୁଁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି ।
କେବଳ କୁଏତ ନୁହେଁ, ବାହାରିନ, ଜୋର୍ଡାନ, କାତାର ଏବଂ ସାଉଦି ଆରବ ଭଳି ଦେଶମାନେ ମଧ୍ୟ ସେମାନଙ୍କ ଆକାଶମାର୍ଗରେ ଡ୍ରୋନ ଓ ମିସାଇଲ୍ ରୋକିଥିବା ସୂଚନା ଦେଇଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏବଂ କୁଏତରେ ଥିବା ଭାରତୀୟ ଦୂତାବାସ ଏହି ଘଟଣା ଉପରେ ନଜର ରଖିଛନ୍ତି । ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ଯୋଗାଇବା ସହ ସେଠାରେ ରହୁଥିବା ଅନ୍ୟ ଭାରତୀୟଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । କୁଏତରେ ବହୁ ସଂଖ୍ୟାରେ ଭାରତୀୟ ଶ୍ରମିକ ବିଦ୍ୟୁତ ଏବଂ ଶକ୍ତି ବିଭାଗରେ କାମ କରନ୍ତି । ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ସେମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।

