Nitin

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ ଇସ୍ତଫା ଦେଇଛନ୍ତି । ଆଜି ସଞ୍ଜୟ ସରାଓଗୀ ବିହାର ବିଧାନସଭା ବାଚସ୍ପତି ପ୍ରେମ କୁମାରଙ୍କ ନିକଟରେ ନୀତିନଙ୍କ ଇସ୍ତଫା ଦାଖଲ କରିବେ । ନୀତିନ ନବୀନ ଆସାମରେ ରହି ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ତେଣୁ ଇସ୍ତଫା ଦାଖଲ ବେଳେ ନିଜେ ଉପସ୍ଥିତ ରହିପାରିଲେ ନାହିଁ ।

ସୂଚନାନୁଯାୟୀ, ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ନୀତିନ ନବୀନ ଇସ୍ତଫା ଦେଇଛନ୍ତି । ସେ ପାଟନାର ବାଙ୍କିପୁର ଆସନର ବିଧାୟକ ଥିଲେ । ସେ ଏବେ ଇସ୍ତଫା ଦେବା ପରେ ବାଙ୍କିପୁର ଆସନ ଖାଲି ପଡିଛି । କିଛି ଦିନ ପୂର୍ବରୁ ବିହାରର ୫ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମସ୍ତ ୫ ଟି ଆସନରେ ଏନଡିଏ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ । ସେହି ଏନଡିଏ ଦଳରେ ନୀତିନ ନବୀନ ମଧ୍ୟ ଉପସ୍ଥିତ ଥିଲେ । ନୀତିନ ନବୀନଙ୍କ ବ୍ୟତୀତ ନୀତିଶ କୁମାର ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ସମ୍ବିଧାନ ଅନୁଯାୟୀ, ଜଣେ ବ୍ୟକ୍ତି ରାଜ୍ୟସଭାର ସଦସ୍ୟ ହେବାର ୧୪ ଦିନ ମଧ୍ୟରେ ନିଜ ରାଜ୍ୟ ସଦସ୍ୟତାରୁ ଇସ୍ତଫା ଦେବାକୁ ପଡିବ । ସେ ଖୁବଶୀଘ୍ର ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ।

ଅନ୍ୟପଟେ ତାଙ୍କ ଇସ୍ତଫା ଦାଖଲ ହେବା ପରେ ବାଙ୍କିପୁରର ବିଧାୟକ ଆସନ ଖାଲି ପଡିଛି । ସେଥିପାଇଁ କିଏ ଏହି ଅଞ୍ଚଳର ବିଧାୟକ ହେବେ ସେନେଇ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି । ଭବିଷ୍ୟତରେ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ କେବଳ ବାକି ରହିଲା ।

Share