ନୂଆଦିଲ୍ଲୀ : ପେଟ୍ରୋଲିୟମ ସଂକଟ ଭିତରେ ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଜୁନ ୩୦ ଯାଏ ସୀମା ଶୁଳ୍କ ଛାଡ଼ କରାଯାଇଛି । ମୋଟ ୪୦ଟି ପଦାର୍ଥ ଉପରୁ ଶୁଳ୍କ ହଟାଯାଇଛି । ଯେଉଁଥିରେ ରହିଛି ଆନହାଇଡ୍ରସ୍ ଆମୋନିଆ । ଯାହା ସାର ତିଆରିରେ ବ୍ୟବହୃତ ହୁଏ । ଏହାସହ ମିଥାନୋଲ, ଟୋଲୁଇନ୍, ଷ୍ଟାଇରିନ୍ ଓ ଭିନାଇଲ୍ କ୍ଲୋରାଇଡ୍ ମନୋମର ଭଳି ସାମଗ୍ରୀ ଉପରୁ ଶୁଳ୍କ ଛାଡ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ଫାଇଦା ମିଳିବ । ଶିଳ୍ପଗୁଡିକ ଶସ୍ତାରେ କଞ୍ଚାମାଲ ପାଇବେ ।
ଟେକ୍ସଟାଇଲ୍ ଶିଳ୍ପରେ ସିନ୍ଥେଟିକ୍ ଫାଇବର ତିଆରି ଖର୍ଚ୍ଚ କମିବ । ଔଷଧ ନିର୍ମାଣରେ ବ୍ୟବହୃତ ରାସାୟନିକ ପଦାର୍ଥ ସହଜରେ ମିଳିବ । ଏହାସହ ଗାଡ଼ିର ବିଭିନ୍ନ ପାର୍ଟସ ଓ ଟାୟାର ନିର୍ମାଣ ସହଜ ହେବ । ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ବିଶ୍ୱବ୍ୟାପୀ ସପ୍ଲାଇ ଚେନ୍ ବ୍ୟାହତ ସହ ଭାରତର ପେଟ୍ରୋକେମିକାଲ୍ କଞ୍ଚାମାଲ ଯୋଗାଣ ପ୍ରଭାବିତ ହୋଇଛି । ବର୍ତ୍ତମାନ ନିଷ୍ପତ୍ତି ପରେ ଘରୋଇ ଶିଳ୍ପକୁ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ସହଜରେ ମିଳିବ । ଡାଉନ୍ ଷ୍ଟ୍ରିମ୍ ଶିଳ୍ପରେ ଉତ୍ପାଦନ ଖର୍ଚ୍ଚ କମିବ । ଦେଶର ଯୋଗାଣରେ ସ୍ଥିରତା ଆସିବ ।

