Raghav chhada

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଲାଗିଲା ବଡ଼ ଝଟକା । ରାଜ୍ୟସଭାର ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇଲା ଆମ ଆଦମୀ ପାର୍ଟି । ତାଙ୍କ ସ୍ଥାନରେ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍ ଉପନେତା କରିବାକୁ ନିଷ୍ପତ୍ତି ନେଇଛି । କ୍ରମାଗତ ଭାବେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନହେବା ଓ ଶୀର୍ଷ ନେତୃତ୍ବଙ୍କ ଠାରୁ ଦୂରେଇ ରହିବା ପରେ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ପରିବର୍ତ୍ତନ ନେଇ ଆପ ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ଜଣାଇ ଦିଆଯାଇଛି ।

୨୦୨୩ରୁ ରାଜ୍ୟସଭାର ଉପନେତା ପଦରେ ରହିବା ସହ ଦଳରେ ପ୍ରଭାବଶାଳୀ ନେତା ଥିଲେ ରାଘବ ଚଢା । ଏହା ସହ ସଂସଦରେ ତାଙ୍କୁ ମତ ଉପସ୍ଥାପନ କରିବାକୁ ଧାର୍ଯ୍ୟ ସମୟ ପ୍ରଦାନ ନକରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଗତ କିଛି ମାସ ହେବ ରାଘବ ଚଢ଼ା ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡ଼ିକରୁ ଦୂରେଇ ରହୁଛନ୍ତି । ବିଶେଷ କରି ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ କୋର୍ଟରୁ ଆଶ୍ୱସ୍ତି ପାଇବା ପରେ ମଧ୍ୟ ରାଘବ କୌଣସି ଉତ୍ସବରେ ସାମିଲ ହୋଇନାହାନ୍ତି କିମ୍ବା ସୋସିଆଲ ମିଡିଆରେ କୌଣସି ଶୁଭେଚ୍ଛା ଜଣାଇ ନାହାନ୍ତି । ତାଙ୍କର ଏହି ନୀରବତାକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହାକୁ ଏକ ସାଧାରଣ ସାଂଗଠନିକ ପରିବର୍ତ୍ତନ ବୋଲି କୁହାଯାଇଛି । ଦଳ କହିଛି ଯେ, ସାଂସଦମାନଙ୍କ ଦାୟିତ୍ୱରେ ସମୟ ସମୟରେ ଅଦଳବଦଳ କରାଯାଇଥାଏ ଏବଂ ଏଥିରେ କୌଣସି ବିବାଦ ନାହିଁ। ରାଘବଙ୍କୁ ଦଳର ବଡ଼ ନିଷ୍ପତ୍ତି ଗୁଡ଼ିକରୁ ଦୂରେଇ ରଖାଯାଉଛି । ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନେଇ ଆପକୁ ସମାଲୋଚନା କରିଛନ୍ତି । ପଦବୀରୁ ହଟିବା ପରେ ରାଘବ ଚଢ଼ା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେ ଏବେ ମଧ୍ୟ ଆପର ଜଣେ ସକ୍ରିୟ ସାଂସଦ ଭାବେ ରହିଛନ୍ତି ।

Share