ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୫-୨୬ ଆର୍ଥିକବର୍ଷରେ ମୋଟ ୯୧୫.୧୭ ନିୟୁତ ଟନ୍ ମାଲ୍ ପରିବହନ କରିଛନ୍ତି। ୯୦୪ ନିୟୁତ ଟନ୍ ମାଲ୍ ପରିବହନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହାଠାରୁ ଅଧିକ ମାଲ୍ ପରିବହନ ହୋଇଛି।
୨୦୨୪-୨୫ ଆର୍ଥିକବର୍ଷ ତୁଳନାରେ ୨୦୨୫-୨୬ରେ ଦେଶର ୧୨ଟି ପ୍ରମୁଖ ବନ୍ଦରଗୁଡ଼ିକରେ ୭.୦୬ ପ୍ରତିଶତ ଅଧିକ ମାଲ୍ ପରିବହନ ହୋଇଛି ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦୀନଦୟାଲ ବନ୍ଦର ସର୍ବାଧିକ ୧୬୦.୧୧ ନିୟୁତ ଟନ୍ ମାଲ୍ ପରିବହନ କରିଥିବାବେଳେ ପାରାଦୀପ ବନ୍ଦର ୧୫୬.୪୫ ନିୟୁତ ଏବଂ ଜବାହରଲାଲ ନେହରୁ ବନ୍ଦର ୧୦୨.୦୧ ନିୟୁତ ଟନ୍ ମାଲ୍ ପରିବହନ କରିଛି।
ସେହିପରି କୋଲକାତା ବନ୍ଦର ୭୦.୮୭ ନିୟୁତ ଟନ, ବିଶାଖାପାଟଣା ବନ୍ଦର ୯୧.୧୬ ନିୟୁତ ଟନ, କାମରାଜର (ଏନ୍ନୋର) ବନ୍ଦର ୪୯.୦୮ ନିୟୁତ ଟନ, ଚେନ୍ନାଇ ବନ୍ଦର ୫୭୯୦୨ ନିୟୁତ ଟନ ଏବଂ ଭି.ଓ. ଚିଦମ୍ବରନର ବନ୍ଦର ୪୩.୩୧ ନିୟୁତ ଟନ, କୋଚିନ ବନ୍ଦର ୩୮.୦୬ ନିୟୁତ ଟନ, ନ୍ୟୁ ମାଙ୍ଗାଲୋର ବନ୍ଦର ୫୦.୦୪ ନିୟୁତ ଟନ, ମୋରମୁଗାଓ ବନ୍ଦର ୨୧.୦୦ ନିୟୁତ ଟନ ମାଲ ପରିବହନ କରିଛି। ୨୦୨୪-୨୫ ଆର୍ଥିକବର୍ଷ ତୁଳନାରେ ୨୦୨୫-୨୬ରେ ମାଲ୍ ପରିବହନ ଅଭିବୃଦ୍ଧି ଦୃଷ୍ଟିରୁ ମୋରମୁଗାଓ ବନ୍ଦର ସବୁଠୁ ଆଗରେ ରହିଛି।
ଏହି ବନ୍ଦରର ମାଲ୍ ପରିବହନ ୧୫.୯୧ ପ୍ରତିଶତ ଅଧିକ ରହିଥିବାବେଳେ କୋଲକାତା ଡକ୍ ସିଷ୍ଟମ୍ ବନ୍ଦରର ମାଲ୍ ପରିବହନ ୧୪.୨୮ ପ୍ରତିଶତ ଅଧିକ ଏବଂ ଜବାହରଲାଲ ନେହରୁ ବନ୍ଦରର ମାଲ୍ ପରିବହନ ୧୦.୭୪ ପ୍ରତିଶତ ଅଧିକ ରହିଛି। ପାରାଦୀପ ବନ୍ଦରର ମାଲ ପରିବହନ ଅଭିବୃଦ୍ଧି ୪.୦୨ ପ୍ରତିଶତ ରହିଥିବା ଜଣାଯାଇଛି।
