ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ସକାଳୁ କମ୍ପାନୀକୁ ସିଲ୍ କରାଯାଇଛି। ପିସିସିବି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ଅନୁସାରେ ଏହି ଶିଳ୍ପ ୟୁନିଟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ସକାଳୁ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ, ସମ୍ବଲପୁରର ଅଧିକାରୀ ଓ କର୍ମଚାରୀଙ୍କ ସହିତ ରେଙ୍ଗାଲି ତହସିଲଦାର, ଅତିରିକ୍ତ ଏସପି, ସଦର ଏସଡିପିଓ ଏବଂ ବ୍ୟାପକ ପୁଲିସ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉକ୍ତ ଶିଳ୍ପାନୁଷ୍ଠାନକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ପରିବେଶ ସୁରକ୍ଷା ଆଇନ ୧୯୮୬ର ଧାରା ୫ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ କମ୍ପାନୀର ବାରମ୍ବାର ନିୟମ ଉଲ୍ଲଂଘନ ଏହାର ମୁଖ୍ୟ କାରଣ ଅଟେ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୦୨୪ରେ କୋଲକତା ଆଞ୍ଚଳିକ ନିର୍ଦ୍ଦେଶାଳୟର ଏକ ଟିମ୍ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ପ୍ଲାଣ୍ଟରୁ ନିର୍ଗତ ହେଉଥିବା ପ୍ରଦୂଷଣର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡିଥିଲା। ବିଶେଷକରି ଡିଆରଆଇ-୧, ଡିଆରଆଇ-୨ ଏବଂ ଏଏଫବିସି ବଏଲରରୁ ନିର୍ଗତ ଧୂଳିକଣାର ପରିମାଣ ସୀମା ବାହାରେ ଥିବାରୁ ଏହା ଜନଜୀବନ ଉପରେ କୁପ୍ରଭାବ ପକାଉଥିଲା। ପୂର୍ବରୁ ବୋର୍ଡ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ନ ଦେବାରୁ ଶେଷରେ ପ୍ଲାଣ୍ଟକୁ ସିଲ୍ କରିବା ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଶ୍ୟାମ ମେଟାଲିକ୍ସରୁ ନିର୍ଗତ ପାଉଁଶ ଓ ଧୂଳିକଣାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବ୍ୟାପକ ପ୍ରଦୂଷଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ସିପିସିବିର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।

