ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗ ଗ୍ରାମ ନିକଟରେ ଏକ ନିର୍ମାଣାଧୀନ କଲଭର୍ଟ ଠାରେ ମାଟି ଅତଡ଼ା ସହ ଏକ ମିକ୍ସଚର ଗାଡ଼ି ଓଲଟି ପଡ଼ିବାରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ୨ଟି ଜେସିବି ସହ ୩ ଘଣ୍ଟା ପରିଶ୍ରମ କରି ମାଟିତଳୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ମିସ୍ତ୍ରୀଙ୍କ ନାମ ମଦନ ସିଂହ (୪୦) ଏବଂ ଘର ଝାରଖଣ୍ଡର ଲାତେହର ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ରବିବାର, ଅପରାହ୍ନ ପ୍ରାୟ ୩ ଟା ସମୟରେ କଲଭର୍ଟ ଗାର୍ଡୱାଲ୍‌ର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ମାଟି ଅତଡା ଖସିଯିବାରୁ ମେସିନଟି ତଳକୁ ଧସେଇ ପଡିଥିଲା। ତଳେ ଥିବା ମଦନ ମାଟିତଳେ ଦବି ହୋଇଯାଇଥିଲା। ମିକ୍ସଚର ମେସିନ୍‌ର ଚାଳକ ଭଦ୍ରକ   ଜିଲ୍ଲାର ପ୍ରଭଞ୍ଜନ ମଲ୍ଲିକ ଗାଡିରୁ ଡେଇଁପଡିଥିଲେ। ସେ ସାମାନ୍ୟ ଆହାତ ହୋଇଛନ୍ତି।  ମେସିନ ଆଗରେ ରହିଥିବା ଅନ୍ୟଜଣେ ଶ୍ରମିକ ମାଟି ତଳେ ଏକ କେବୁଲ ତାରରେ ଲାଗି ଯିବାରୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ତାରସିଂ ଇଲାକାର ଆକାଶ ନାୟକ(୧୮),ସନ୍ତୋଷ ନାୟକ(୩୦),ଲକ୍ଷ୍ମଣ ନାୟକ(୬୦) ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ସେମାନଙ୍କ ବିଶେଷ କ୍ଷତି ହୋଇନଥିବା ଜଣାପଡିଛି।