ଭୁବନେଶ୍ଵର: ରାଜ୍ୟରେ ମହାଙ୍ଗା ହେଲା ଓମ୍ଫେଡ୍ କ୍ଷୀର ଦର। ଦର ବୃଦ୍ଧି ପରେ ଖାଉଟି ଚିନ୍ତାରେ। ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମ୍ଫେଡ଼ ପକ୍ଷରୁ ସ୍ଵତନ୍ତ୍ର ନୋଟିସ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ସୂଚିତ କରିଛି।ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଦିତ ଦର ସୂଚୀ ଅନୁଯାୟୀ, ଟୋନଡ ଦୁଗ୍ଧ ପ୍ରତି ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ଯାହା ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହୋଇଛି। ସେହିଭଳି ପ୍ରିମିୟମ କ୍ଷୀର ଲିଟର ପ୍ରତି ମଧ୍ୟ ୪ଟଙ୍କା ବଢ଼ିଛି। ଯାହା ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି। ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବଢ଼ି ୬୦ ଟଙ୍କା ହୋଇଛି। ସେହିଭଳି ଗୋଲ୍ଡ ପ୍ରିମିୟର ପ୍ଲସ୍ କ୍ଷୀର ଲିଟର ପ୍ରତି ୪ଟଙ୍କା ବଢ଼ି ୬୪ ଟଙ୍କା ଦର ଛୁଇଁଥିବା ଓମ୍ଫେଡ୍ ପକ୍ଷରୁ ସୂଚିତ କରାଯାଇଛି।

