କୋଲକାତା: ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି। ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି।
ରାଜ୍ୟରେ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ମୁଖ୍ୟ ନିର୍ବାଚନ କମିସନ(ସିଇସି) ଜ୍ଞାନେଶ କୁମାର କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ହିଂସା ଏବଂ ଭଙ୍ଗାରୁଜାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ସିଇସି ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି), କୋଲକାତା ପୁଲିସ କମିସନର ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ମହାନିର୍ଦ୍ଦେଶକଙ୍କ ସହିତ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ ଅଧୀକ୍ଷକ (ଏସପି) ଏବଂ ପୁଲିସ ଅଧିକାରୀମାନଙ୍କୁ ପାଟ୍ରୋଲିଂ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସାରେ ମଙ୍ଗଳବାର ପୃଥକ ପୃଥକ ଘଟଣାରେ ଦୁଇ ଜଣ ବିଜେପି ଏବଂ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ଟିଏମସି ସମର୍ଥକଙ୍କ ମାଡ଼ରେ ନ୍ୟୁ ଟାଉନ୍ ଅଞ୍ଚଳରେ ବିଜେପି କର୍ମୀ ମଧୁ ମଣ୍ଡଳଙ୍କ ମୃତ୍ୟୁ ଘଟିଛି। ବିଜେପିର ବିଜୟ ଶୋଭାଯାତ୍ରା ସମୟରେ ଯୁକ୍ତିତର୍କ ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ପୁଲିସ କହିଛି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବିଜେପି ସମର୍ଥକମାନେ ଅଞ୍ଚଳର ଟିଏମସି କର୍ମୀଙ୍କ ଘର ଉପରେ ଆକ୍ରମଣ କରିବା ସହ ରାସ୍ତା ଅବରୋଧ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯାଇଛି। ବୀରଭୂମି ଜିଲ୍ଲାର ନାନୁରରେ ବିଜେପି କର୍ମୀମାନେ ଟିଏମସି କର୍ମୀ ଆବିର ଶେଖଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସର ସୂଚନା ଅନୁଯାୟୀ, ସନ୍ତୋଷପୁର ଗାଁରେ ଏକ ଘଟଣାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହିଘଟଣାରେ ଅନ୍ୟ ଜଣେ ଆହତ ହୋଇଥିଲେ। ନାନୁରର ଟିଏମସି ବିଧାୟକ ବିଧାନ ମାଝୀ ଅଭିଯୋଗ କରିଛନ୍ତି, ବିଜେପି ଗୁଣ୍ଡାମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।
ଅପରପକ୍ଷରେ ବିଜେପି ନେତା ଶ୍ୟାମାପଦ ମଣ୍ଡଳ ଅଭିଯୋଗକୁ ଖଣ୍ଡନ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ହାୱଡାର ଉଦୟ ନାରାୟଣପୁରରେ ବିଜେପି କର୍ମୀ ଯାଦବ ବାରଙ୍କୁ ହତ୍ୟା କରାଯାଇଛି। ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଜୟ ଶ୍ରୀରାମ ସ୍ଳୋଗାନ ଦେଇ ବିଜୟ ଖୁସିରେ ଅବିର ବୋଳିବା ଯୋଗୁଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରାଜ୍ୟର ଅନେକ ସ୍ଥାନରେ ଭଙ୍ଗାରୁଜା ଏବଂ ହିଂସା ଘଟଣା ଘଟିଛି। ଟଲିଗଞ୍ଜର ବିଜୟଗଡ଼-ନେତାଜୀ ନଗର ଅଞ୍ଚଳରେ ପୂର୍ବତନ ମନ୍ତ୍ରୀ ଅରୂପ ବିଶ୍ୱାସଙ୍କ ନିର୍ବାଚନ କାର୍ଯ୍ୟାଳୟରେ ଉତ୍ତେଜିତ ଲୋକେ ଭଙ୍ଗାରୁଜା କରିଛନ୍ତି। ସହରର ରୁବି କ୍ରସିଂରେ ଥିବା ଜଣେ ଟିଏମସି କାଉନସିଲରଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏହା ବ୍ୟତୀତ, ହାୱଡା, ଉତ୍ତର ୨୪ ପରଗଣା ଏବଂ ମୁର୍ଶିଦାବାଦ ସମେତ ଅନେକ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ପୋଡ଼ାଜଳା ଏବଂ ଆକ୍ରମଣ ହୋଇଥିବା ରିପୋର୍ଟ କରାଯାଇଛି।
ବିଜେପି ହିଂସାକାଣ୍ଡ ଭିଆଇ ଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେପି ଏହାକୁ ଦୃଢ଼ ଭାବରେ ଖଣ୍ଡନ କରି କହିଛି ଯେ, ଏହା ଟିଏମସି ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳର ଫଳାଫଳ ହୋଇପାରେ। ନିର୍ବାଚନ କମିସନ ଘଟଣାଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ଥାନୀୟ ପୁଲିସଠାରୁ ଏକ ରିପୋର୍ଟ ମାଗିଛନ୍ତି। ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।