Image 20

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ରାସ୍ତାରେ ପାଣି ଜମିବା ଆରମ୍ଭ ହୁଏ। ଏହାସାଙ୍ଗକୁ ରାସ୍ତା କିମ୍ବା ଡ୍ରେନ ଖୋଳତାଡ ଆରମ୍ଭ ହୋଇଯାଏ। ଏହାକୁ ନେଇ ବିଏମସି ପକ୍ଷକୁ ଏବେ ନୂଆ ନିୟମ ଜାରି କରାଯାଇଛି। ବର୍ଷା ଦିନେ ଖୋଳାତଡା ବନ୍ଦ ରହିବ। ଯଦି କୌଣସି ସଂସ୍ଥା ଏହାକୁ ଅଣଦେଖା କରନ୍ତି ତାହାଲେ ଦୁଇଗୁଣା ଜରିମାନା ଆଦାୟ ହେବ। ଆବଶ୍ୟକ ପଡିଲେ ଜମା ଟଙ୍କା ଫେରସ୍ତ କରାଯିବନି। ଏନେଇ ବିଏମସି ପକ୍ଷକୁ କଡ଼ା ଚେତାବନୀ ଦିଆଯାଇଛି।

ମୌସୁମୀ ଆସିବା ପୂର୍ବରୁ ବିଏମ୍‌ସିରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହା ସହ ଡ୍ରେନ ସଫା ତ୍ୱରାନ୍ୱିତ କରିବା ସହ ୨୪ ଘଣ୍ଟା ଭିତରେ ରାସ୍ତାରେ ଗଦା କରାଯାଇଥିବା ପଙ୍କ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଋତୁ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଏନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା। ଏଥିରେ କମିଶନର ଚଞ୍ଚଳ ରାଣା ଏବଂ ସବୁ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ବର୍ଷାଋତୁ ଆରମ୍ଭ ହେବା ପୂର୍ବରୁ ସମସ୍ତ ଡ୍ରେନର ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ତା ପୂର୍ବରୁ ରାସ୍ତା ଓ ଡ୍ରେନକୁ ମାଡ଼ି ଆସିଥିବା ଗଛର ଡାଳଗୁଡିକୁ କାଟିବା ପାଇଁ କୁହାଯାଇଛି। ଏଥିରେ ବିଏମ୍ସିକୁ ଅଗ୍ନିଶମ ବାହିନୀ ସହଯୋଗ କରିବ। ଖାସ୍ କରି ୱାଟକୋ ପଙ୍କୋଦ୍ଧାର କରୁଥିଲେ ମଧ୍ୟ ସେଗୁଡିକୁ ରାସ୍ତା ଉପରୁ ଉଠାଉ ନଥିବା କର୍ପାରେଟରମାନେ ଅଭିଯୋଗ କରିଥିଲେ।

ସେହିପରି ଡ୍ରେନର ସୁରକ୍ଷା ଦୃଷ୍ଟିରୁ ଡ୍ରେନ ନିକଟରେ ଗଛ ଲଗାଇବାକୁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। କୌଣସି ଘର ମାଲିକ ଯଦି ଡ୍ରେନ କଡରେ ଗଛ ଲଗାଇଥିବେ ତେବେ ସେମାନଙ୍କୁ ନୋଟିସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ଡ୍ରେନ ଭାଙ୍ଗିଯାଇଛି ସେଗୁଡିକୁ ତୁରନ୍ତ ମରାମତି କରିବା, ସ୍ଲାବ ପଡି ନଥିବା ସ୍ଥାନରେ ବର୍ଷା ଋତୁ ପୂର୍ବରୁ ସ୍ଲାବ ପକାଇବା ଏବଂ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସ୍ଥାନଗୁଡିକରେ ବ୍ୟାରିକେଡ କରିବାକୁ କମିଶନର ଶ୍ରୀ ରାଣା ନିର୍ଦ୍ଦେଶ ଦେଇଛନ୍ତି। ପାଣି ଜମିବାର ସମ୍ଭାବନା ଥିବା ଅଞ୍ଚଳରେ ଏବେ ୱାଟ୍‌କୋ , ଟିପିଡିଓସିଏଲ୍ କିମ୍ବା ଅନ୍ୟ କୌଣସି ବିଭାଗ ଖୋଳାଖାଳି କାର୍ଯ୍ୟ ନ କରିବାକୁ କମିଶନର କହିଛନ୍ତି ।

 

Share