ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Gop

ଗୋପ:ପୁଣି ସାମ୍ନାକୁ ଆସିଛି ପୁଲିସ୍‌ର ନିଷ୍କ୍ରିୟତା । ନ୍ୟାୟ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଦୋକାନୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ସମ୍ମୁଖରେ। ମିଳିଥିବା ସୂଚନା ଅନୁଯାୟୀ ଗୋପ ଥାନା ଅନ୍ତର୍ଗତ ମଦରଙ୍ଗ ବଜାରର ଚକ୍ରଧର ସାହୁଙ୍କ ମିଠା ଦୋକାନକୁ କିଛି ଦିନ ତଳେ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ ସ୍ଥାନୀୟ କେଦାର ରାଉତ। ଏହି ମାମଲାରେ କେଦାର ଗିରଫ ହୋଇ ଜେଲ୍ ଯାଇଥିଲେ ମଧ୍ୟ ଫେରିବା ପରେ ପୁଣି ସମାନ କାଣ୍ଡ ଭିଆଇଥିଲେ।

ବାରମ୍ବାର ଦୋକାନ ଭାଙ୍ଗିବା ଓ ପୁଲିସ୍‌ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ଆଜି ଚକ୍ରଧର ଓ ତାଙ୍କ ସ୍ତ୍ରୀ ଅତିଷ୍ଠ ହୋଇପଡ଼ିଥିଲେ।​ ପ୍ରତିବାଦ ସ୍ୱରୂପ ଉଭୟ ସ୍ୱାମୀ-ସ୍ତ୍ରୀ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଚେଷ୍ଟା କରୁଥିବା ବେଳେ, ଏଏସ୍‌ଆଇ ଶିବରାମ ସତପଥୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ପୁଲିସ୍‌ କେଦାର ରାଉତକୁ ଅଟକ ରଖିଥିଲେ ମଧ୍ୟ, ଜଣେ ସାଧାରଣ ଲୋକକୁ କାହିଁକି ନ୍ୟାୟ ପାଇଁ ଏଭଳି ପଦକ୍ଷେପ ନେବାକୁ ପଡ଼ିଲା, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଆଇଆଇସି ଉଭୟଙ୍କୁ ଅଟକ ରଖି ଘଟଣାରେ ଅଧିକ ତଦନ୍ତ କରୁଛନ୍ତି। ମାତ୍ର ଏହି ଘଟଣା ଗୋପ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share