ସମ୍ବଲପୁର: ସମ୍ବଲପୁରରେ ଆତଙ୍କରାଜ । ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଯୁବକ ବିକି ରଏ । ସଙ୍କାଟପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରାଯାଇ ଭୀମସାରରେ ଭର୍ତ୍ତି କରାଯାଇଛି । ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା ପୋଲିସ ଅନୁମାନ କରୁଛି । ଗତକାଲି ବିଳମ୍ବିତରାତିରେ ବିକି ଘରୁ ବାହାରକୁ ଆସିଥିବା ସମୟରେ ଜଗନ୍ନାଥ ମନ୍ଦିର ନିକଟରେ ଏକ ନିଛାଟିଆ ସ୍ଥାନରେ ପୂର୍ବ ଯୋଜନା ମୁତାବକ କିଛି ଯୁବକ ତାଙ୍କୁ ଘେରିଯାଇଥିଲେ ।
ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ବିକିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ବିକିଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଘଟଣାସ୍ଥଳରେ ହିଁ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମସାରରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ । ଆହତ ଯୁବକ ବିକିଙ୍କ ନାଁରେ ହତ୍ୟା, ବଟି ଅସୁଲି, ମାଡପିଟ ଭଳି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପୋଲିସ କହିଛି ।

