ନବରଙ୍ଗପୁର : ଦୀର୍ଘ ୪ ଘଣ୍ଟାର ଅପରେଶନ୍ ପରେ ଯନ୍ତାରେ ପଡିଲା ଭାଲୁ । ନବରଙ୍ଗପୁର ରେଞ୍ଜ ଦେଉଳା ଗାଁ ନିକଟ ଏକ କଲଭର୍ଟରୁ ଭାଲୁକୁ ବନବିଭାଗ କାବୁ କରିନେଇଛି । ନବରଙ୍ଗପୁର ଫରେଷ୍ଟର ଲକିମାଝୀଙ୍କ ନେତୃତ୍ବରେ ୧୫ଜଣ ବନବିଭାଗର କର୍ମଚାରୀ ଭାଲୁକୁ କାବୁରେ ସଫଳ ହୋଇଛନ୍ତି । ଭାଲୁକୁ ଧରିବା ଲାଗି ଯନ୍ତା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରି ଅପରାହ୍ନରୁ ଅପରେଶନ୍ ଆରମ୍ଭ କରିଥିଲେ । ସନ୍ଧ୍ୟାରେ ଭାଲୁ ଜନ୍ତାରେ ପଡିଥିଲା । ୬ ବର୍ଷର ବୟସ୍କର ଅଣ୍ଡିରା ଭାଲୁ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଭାଲୁକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।
ପ୍ରଥମେ ଭାଲୁର ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପୁଣି ଭାଲୁର ଆଶ୍ରୟ ସ୍ଥଳୀ ଜଙ୍ଗଲକୁ ଛାଡି ଦିଆଯିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଦେଉଳା ଗାଁ ନିକଟ ନବରଙ୍ଗପୁର-କୋଷାଗୁମଡା ମୁଖ୍ୟ ରାସ୍ତା ନିକଟ କାଜୁ ବଗିଚାକୁ ନିୟମିତ ଭାଲୁ ଚାଲିଆସୁଛି । ଆଉ କେତେବେଳେ ମୁଖ୍ୟ ରାସ୍ତା ଉପରରେ ଚଲାବୁଲା କରୁଥିବା ବେଳେ ଏଯାଏ ଭାଲୁ କାହାକୁ ଆକ୍ରମଣ କରିନି । କିନ୍ତୁ ରାସ୍ତାରେ ଭାଲୁ ଚଳପ୍ରଚଳ କରୁଥିବା ଯୋଗୁ ଜନସାଧାରଣଭୟ ଓ ଆତଙ୍କିତ ହୋଇପଡିଥିଲେ । ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ଜନସାଧାରଣ ବିପଦ ମଣୁଥିଲେ ।

