Pm in somnath

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଏଠାରେ ଆଜି ସୋମନାଥରେ ଭବ୍ୟ ରୋଡ ଶୋ କରିଛନ୍ତି । ରୋଡ୍ ଶୋ କରିବା ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ପ୍ରଭୁ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ସୋମବାର ପ୍ରଧାନମନ୍ତ୍ରୀ ମୋଦି ସୋମନାଥ ମନ୍ଦିରରେ ପହଞ୍ଚି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ଏହି ବିଶେଷ ଅବସରରେ ଦେଶର ବିଭିନ୍ନ ୧୧ଟି ପବିତ୍ର ତୀର୍ଥସ୍ଥାନରୁ ଅଣାଯାଇଥିବା ଜଳରେ ପ୍ରଭୁ ସୋମନାଥଙ୍କ କୁମ୍ଭାଭିଷେକ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ବିଶେଷ ମହାପୂଜା ସହ ମନ୍ଦିର ଶିଖରରେ ଧ୍ୱଜାରୋହଣ ମଧ୍ୟ କରିଥିଲେ । ସୋମନାଥ ମନ୍ଦିରର ୧୫୫ ଫୁଟ ଉଚ୍ଚ ଶିଖରରେ ଏକ ୧.୮୬ ଟନ୍ ଓଜନର କଳଶ ଏକ ସ୍ୱତନ୍ତ୍ର କ୍ରେନ୍ ସାହାଯ୍ୟରେ ଉତ୍ତୋଳନ କରାଯାଇଛି । ପବିତ୍ରକରଣ ଉତ୍ସବ ପାଇଁ ଏକ ସ୍ୱତନ୍ତ୍ର ୧୧୦୦ ଲିଟର କଳଶ ଡିଜାଇନ୍ କରାଯାଇଛି । ଏହି ପ୍ରକ୍ରିୟାରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି ।

ପୂଜାର୍ଚ୍ଚନା କରିବା ପୂର୍ବରୁ ମୋଦି ଏକ ରୋଡ ଶୋ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଘଭୀଙ୍କ ଉପସ୍ଥିତିରେ ହୋଇଥିବା ଏହି ରୋଡ୍ ସୋ’ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସୋମନାଥ ମନ୍ଦିରର ଐତିହାସିକ ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ସୋମନାଥ ମନ୍ଦିରର ସଂଘର୍ଷ ଏବଂ ପୁନରୁଦ୍ଧାରର ଗାଥାକୁ ଏହା ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି ।

Share