ଭୁବନେଶ୍ୱର : ପୋଲିସ ବାବୁଙ୍କ ଦବଙ୍ଗଗିରି । ପାର୍କିଂ ବିବାଦକୁ ନେଇ ପଡ଼ୋଶୀଙ୍କ ଉପରେ ସୁଝାଇଲେ ରାଗ । ନିଜ କାର ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡିକୁ ବାଡେଇ ଭାଙ୍ଗିଦେଇଛନ୍ତି । ଗାଡିକୁ ଲୁହା ରଡରେ ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି । ପୋଲିସ ବାବୁଙ୍କ କାର୍ନାମାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାଜଧାନୀ ଶାସ୍ତ୍ରୀନଗରରୁ ଆସିଛି ଖାକିବର୍ଦ୍ଦିର ଗୁଣ୍ଡାଗିରିର ଖବର । ଶାସ୍ତ୍ରୀନଗରରେ ଭଡ଼ାରେ ରହୁଥିବା ଅତିରିକ୍ତ ଏସପିଙ୍କ ଘର ପାଖରେ ଏଭଳି ଘଟଣା ନେଇ ଅଭିଯୋଗ ହୋଇଛି। ଅତିରିକ୍ତ ଏସପି ଙ୍କ ନାଁରେ ଅଭିଯୋଗ ପରେ ଅଡୁଆରେ ଡିଜି ମୁଖ୍ୟାଳୟର ଅତିରିକ୍ତ ଏସପି ।
ଅଭିଯୋଗକାରୀ ଶାସ୍ତ୍ରୀନଗରର ସୁଜିତ୍ କୁମାର ନାଏକ ପ୍ଲଟ୍ ନଂ-୩୬୪ରେ ଭଡାରେ ରୁହନ୍ତି । ସେ କିଛି ଦିନ ତଳେ ଏକ ଦାମୀ କାର କିଣିଥିଲେ। କାରକୁ ତାଙ୍କ ଘର ସାମ୍ନା ରାସ୍ତାକଡ଼ରେ ପାର୍କି କରିଥିଲେ। ତା’ର ୨ ଦିନ ପରେ ସୁଜିତ୍ ଅଫିସ କାମରେ ମାଲେସିଆ ପଳାଇଥିଲେ। ସୁଜିତ ଘରକୁ ଲାଗି ଅତିରିକ୍ତ ଏସ୍ପି ଜଣକ ମଧ୍ୟ ଭଡ଼ାସୂତ୍ରରେ ରହୁଛନ୍ତି । ତେବେ ତାଙ୍କ କାର ରଖିବାକୁ ଅସୁବିଧା ହେବାରୁ ସେ ବିରକ୍ତି ହୋଇ କାର ଟିକୁ ଭାଙ୍ଗି ଦେଇଥିଲେ I ସୁଜିତ ବିଦେଶରୁ ଫେରିବା ପରେ କାରଟି ଭାଙ୍ଗିରୁଜି ଯାଇଥିବା ଦେଖି ସିସି କ୍ୟାମେରା ଯାଞ୍ଚ କରିବାରୁ ଅସଲ ରହସ୍ୟ ସାମ୍ନାକୁ ଆସିଲା । ଗତ ୮ ତାରିଖ ରାତିରେ ପୋଲିସ ବାବୁ ଜଣକ ଏକ ରଡ଼ ଯୋଗେ କାରକୁ ଭାଙ୍ଗୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ସମସ୍ତ ଘଟଣା I ଏ ନେଇ ଖାରବେଳନଗର ଥାନାରେ ଏତଲା ପରେ ଛାନଭିନ ଆରମ୍ଭ କରିଛି ପୋଲିସ ।

