ବାରଙ୍ଗ: କଟକ ବାରଙ୍ଗରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର । ଗୁରୁତର ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବାରଙ୍ଗ ପୋଲିସ ।
ସୂଚନା ଅନୁଯାୟୀ, ଆଜି ଦିନ ଗୋଟାଏରେ ସାନମୁଣ୍ଡଳୀ ଗାଁର କାହ୍ନୁ ଚରଣ ଦଳେଇ ମୁଣ୍ଡଳୀ ବ୍ରିଜ ନିକଟସ୍ତ କେନାଲ ବନ୍ଧରେ ଥିବା ଏକ ଦହିବରା ଦୋକାନ ନିକଟରେ ବସିଥିଲେ । ଏହି ସମୟରେ ହଠାତ ୫ ରୁ ୬ ଯୁବକ ହାତରେ ଖଣ୍ଡା ଧରି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । କାହ୍ନୁ ରକ୍ତାକ୍ତ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ସେଠାରୁ ପଳାଉଥିବା ବେଳେ ନିକଟରେ ଥିବା ଦହିବାର ଦୋକାନୀ ଓ ପାନ ଦୋକାନୀ ଦୁର୍ବୃତ୍ତଙ୍କୁ ବିରୋଧ କରିଥିଲେ ।
ହେଲେ ଦୁର୍ବୁତ୍ତ ଦୁଇ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣ କରି ଦୁର୍ବୁତ୍ତମାନେ ମୁଣ୍ଡଳୀ ବ୍ରିଜ ଦେଇ ଆଠଗଡ ଆଡକୁ ଚାଲିଯାଇଥିଲେ । ତିନି ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ତିନି ଯୁବକଙ୍କ ଅଵସ୍ଥା ସଙ୍କଟାପନ୍ନ ଥିବା ବେଳେ କେଉଁ କାରଣ ପାଇଁ ସଂଘବଧ ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

