Koraput

କୋରାପୁଟ: କୋରାପୁଟରେ ‘କଙ୍ଗାରୁ କୋର୍ଟ’ ଉପରେ ପୋଲିସର ଚଢ଼ାଉ । ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା, ଠିକ୍ ସମୟରେ ପହଞ୍ଚି ରୋକିଲା ପୋଲିସ । ସାମାଜିକ ବାସନ୍ଦରୁ ମୁକ୍ତି ହେବା ପାଇଁ ଚାଲିଥିଲା କଙ୍ଗାରୁ କୋର୍ଟ । ହଠାତ ପହଁଚିଥିଲା ପୋଲିସ । ଭଣ୍ଡୁର କରିଥିଲା ସବୁ ଯୋଜନା । ଏଭଳି ଦୃଶ୍ୟ ଆଜି କୋରାପୁଟ ବ୍ଲକ ଲଙ୍କାପୁଟ ପଞ୍ଚାୟତର କୋଲାବ ଗାଁରେ ଦେଖିବାକୁ ମିଳିଛି । ଗାଁର ଜଣେ ଯୁବକ ଭଗତରାମ ମାଳି ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା । ଆଜି ତାଙ୍କୁ ପୁନଶ୍ଚ ଜାତିରେ ମିଶାଇବା ପାଇଁ ଗାଁ ଦାଣ୍ଡରେ ଏକ ବୈଠକ ବସିଥିଲା । ଏହି ବୈଠକରେ ସମାଜର ନାୟକ, ମୁଖିଆ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ପ୍ରଥମ ସ୍ତ୍ରୀ ଉପସ୍ଥିତ ଥିଲେ।

ସମାଜର ପୁରୁଣା ପ୍ରଥା ଅନୁସାରେ, ଯୁବକ ଜଣକ ମୋଟା ଅଙ୍କର ଟଙ୍କା ଦେବା ସହ ଭୋଜିଭାତର ବ୍ୟବସ୍ଥା କରିଥାନ୍ତେ ଏବଂ ଶେଷରେ ତାଙ୍କୁ ସର୍ବସମ୍ମୁଖରେ ଲଣ୍ଡା କରାଯିବାର ନିଷ୍ପତ୍ତି ହୋଇଥିଲା । ଏହା ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏଭଳି ପ୍ରଥା ସମ୍ପୂର୍ଣ୍ଣ ଆଇନ ବିରୋଧୀ ବୋଲି ପୋଲିସ ଗ୍ରାମବାସୀଙ୍କୁ ବୁଝାଇଥିଲା । ଯୁବକଙ୍କୁ ଥାନାକୁ ନେଇ କଡ଼ା ଚେତାବନୀ ଦେବା ସହ ସଚେତନ କରାଯିବ ବୋଲି ସଦର ଥାନା ଆଇଆଇସି ରୁନୁ ମାଝୀ ସୂଚନା ଦେଇଛନ୍ତି । କିଛି ମାସ ପୂର୍ବେ କୋରାପୁଟ ସଦର ଥାନା ଅଞ୍ଚଳରେ ଏହିଭଳି ଏକ ଘଟଣାରେ ଜଣେ ଯୁବକ ଲଣ୍ଡା ହୋଇଥିବା ଖବର ଚର୍ଚ୍ଚାକୁ ଆସିଥିଲା ।

Share