କଟକ: କଟକ ସହରରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜଣେ ଅଭ୍ୟାସଗତ ତଥା ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିବା ସହ ତା’ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି ବିଡ଼ାନାସୀ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲାର ବାମଦେବ ସାହୁ (୫୩)। ତାଙ୍କ ସହ ଚୋରି ଜିନିଷ ରଖିବା ଅଭିଯୋଗରେ ଅଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ଗତ ଏପ୍ରିଲ ୧୭ ତାରିଖ ଅପରାହ୍ନରେ ସ୍ଥାନୀୟ ଇସ୍କନ ମନ୍ଦିରର ଉପର ମହଲାରେ ଧୀରେନ କୁମାର ନାୟକ ଓ ତାଙ୍କ ବନ୍ଧୁ ଶୋଇଥିବା ସମୟରେ ଏକ ମୂଲ୍ୟବାନ ଲେନୋଭୋ ଲ୍ୟାପଟପ୍ ଏବଂ ମୋବାଇଲ୍ ଫୋନ୍ ଚୋରି ହୋଇଥିଲା। ମନ୍ଦିରର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଜଣେ ଅଜଣା ବ୍ୟକ୍ତି ଚୋରି କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ବିଡ଼ାନାସୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ବାମଦେବ ସାହୁ କଟକ ସହରର ବିଭିନ୍ନ ସ୍ଥାନରେ ରାତିରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଦିନ ସମୟରେ ସେ ବସରେ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ପାର୍କ, ବସ୍ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ବୁଲି ଲୋକଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ସାମାନ୍ୟ ଅସାବଧାନତାର ସୁଯୋଗ ନେଇ ସେ ମୂଲ୍ୟବାନ ଜିନିଷ ଚୋରି କରି ଫେରାର ହୋଇଯାଉଥିଲେ।
ବାମଦେବଙ୍କୁ ତାଙ୍କର ଖାନ୍ ନଗର ସ୍ଥିତ ଭଡ଼ାଘରୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ଲ୍ୟାପଟପ୍, ୮ଟି ଦାମୀ ମୋବାଇଲ୍ ଫୋନ୍, ଦୁଇଟି ଶାଢ଼ୀ, ଜିନ୍ସ ପ୍ୟାଣ୍ଟ ଏବଂ ଛୋଟ ପିଲାଙ୍କ ପୋଷାକ ଆଦି ଜବତ କରାଯାଇଛି।
ବାମଦେବ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ପୂର୍ବରୁ ଯାଜପୁର, ଭଦ୍ରକ, ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଥାନାରେ ପ୍ରାୟ ୧୪ଟି ଚୋରି ଓ ଡକାୟତି ମାମଲା ରହିଛି।
ଡିସିପି କଟକଙ୍କ ନିର୍ଦ୍ଦେଶକ୍ରମେ ଏସିପି ଅନନ୍ୟା ଅବସ୍ଥି (IPS) ଏବଂ ବିଡ଼ାନାସୀ ଥାନା ଆଇଆଇସି ଅଶିତ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଚୋରକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

