ଭୁବନେଶ୍ଵର : ରାଜ୍ୟରେ ଏବେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ପେଟ୍ରୋଲପମ୍ପରେ ଲାଗିଛି ଲମ୍ବା ଧାଡି।ପେଟ୍ରୋଲପମ୍ପ ଗୁଡିକରେ ଏବେ କୁରୁକ୍ଷେତ୍ର ପାଲଟିଥିବା ବେଳେ ତେଲ ପାଇଁ ଗ୍ରାହକଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।ରାତି ଅଧରୁ ତେଲ ପାଇଁ ଟାଙ୍କିରେ ଲୋକଙ୍କ ଭିଡ଼। ଟ୍ୱିନ୍ସିଟି ସମେତ ପୁରୀ, ବାଲେଶ୍ୱରରେ ତେଲ ଟାଙ୍କିରେ ପ୍ରବଳ ଭିଡ଼ ।
କେନ୍ଦ୍ରାପଡ଼ା, ଜୟପୁର, ରାଉରକେଲାରେ ମଧ୍ୟ ଟାଙ୍କିରେ ଲମ୍ବା ଲାଇନ୍।ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଅପେକ୍ଷା କରିଛନ୍ତି ଗ୍ରାହକ। ରାଜଧାନୀରେ ଥିବା ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବାର ଧାଡି ଦେଖିବାକୁ ମିଳୁଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ବି ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ତେଲ ପାଇଁ ଗାଡିଗୁଡିକ ଏନଏଚ ଉପରେ ଲମ୍ବି ରହୁଥିବାରୁ ଦୁର୍ଘଟଣା ବଢ଼ିବାରେ ଆଶଙ୍କା ରହୁଛି। ଅନେକ ଟାଙ୍କିରେ ନୋ ଷ୍ଟକ ବୋର୍ଡ ଝୁଲୁଥିବାରୁ ଲୋକେ ନିରାଶ ହୋଇ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଦୌଡୁଛନ୍ତି।

