ଭୁବନେଶ୍ୱର : ରାତି ଅଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚନ୍ଦକା ଥାନା ଭୋଳା ଛକ ନିକଟରେ ହାଇଓ୍ବା ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦାମୀ କାର ଉପରେ ମାଡ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଭୋଳା ଆପାର୍ଟମେଣ୍ଟ ସାମ୍ନାରେ ଘଟିଛି ଦୁର୍ଘଟଣା । ଦୁଇ ମୃତକ ସେହି ସ୍ଥାନୀୟ ଏକ ଆପାର୍ଟମେଣ୍ଟରେ ରହୁଥିବା ସୂଚନା ମିଳିଛି । ରାତିରେ ପାର୍ଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।
ସେହିପରି ଗତକାଲି ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଖଣ୍ଡିତର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା କାର । ଏଥିରେ ଝିଅ ମୃତ, ବାପାମାଆ ଗୁରୁତର ହୋଇଥିଲେ । ଭୁବନେଶ୍ୱର ଅଞ୍ଚଳର ଦୀନଦୟାଲ ମୁଖାର୍ଜୀ ନିଜ ପତ୍ନୀ ସମ୍ପା ମୁଖାର୍ଜୀ ଓ ଝିଅ ଶ୍ରେଷ୍ଠା ମୁଖାର୍ଜୀଙ୍କୁ ସାଙ୍ଗରେ ନେଇ କାରରେ ଘସିପୁରା ଯାଉଥିଲେ । ତେବେ କୁଆଖିଆ ଥାନା ଅଧୀନ ଖଣ୍ଡିତର ବ୍ରିଜ ନିକଟରେ ଭାରସାମ୍ୟ ହରାଇ କାରଟି ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ ବ୍ରିଜ ତଳକୁ ଓଲଟି ପାଣିରେ ପଡ଼ିଥିଲା । ଏନେଇ ସ୍ଥାନୀୟ ଲୋକେ କୁଆଖିଆ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ପାଣିରୁ ଉଦ୍ଧାର କରିଥିଲେ ।

