A45230f7 ed41 426f 97a2 16a50fcbb969 1024x576

ଭବାନୀପାଟଣା : କ୍ଷୁଦ୍ର ଜଳସେଚନ ବିଭଗର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ନାଏକ (୭୦)ଙ୍କର ପୋଖରୀରେ ବୁଡ଼ି ମୃତୁ ଘଟିଛି। ଗତକାଲି ତାଙ୍କ ଭାଉଜଙ୍କ ମୃତ୍ୟୁ ଜନିତ ଅନ୍ତେଷ୍ଟି କ୍ରିୟା ପରେ ପରିବାର ଲୋକେ ଡାକ୍ତରଖାନା ଛକରେ ଥିବା ପୁରୁଣା ପଡ଼ା ପୋଖରୀକୁ ଗାଧୋଇବାକୁ ଆସିଥିଲେ।

ପରିବାରର ସମସ୍ତେ ପୁରୁଣାପଡ଼ା ବଡ ପୋଖରୀକୁ ବହୁ କଷ୍ଟରେ ଓହ୍ଲାଇ ଗାଧେଇଲେ। ଏହା ଦେଖି ପୂର୍ଣ୍ଣଚନ୍ଦ୍ର ସାନ ପୋଖରୀରେ ଗାଧୋଉଥିବା ବେଳେ ଖସି ପଡ଼ି ପାଣିରେ ବୁଡି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କୁ ନପାଇ ଘରକୁ ଫେରିଯାଇଥିଲେ। ଆଜି ସକାଳେ ଏକ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଆସି ମୃତଦେହ ଚିହ୍ନଟ କଲେ। ଖବର ପାଇ ଟାଉନ ଥାନା ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ।

ଅନ୍ୟପଟେ ପୁରୁଣାପଡ଼ା ପୋଖରୀ ସହରର ଅନ୍ୟତମ ପୋଖରୀ ଭାବେ ପରିଚିତ। ଭବାନୀପାଟଣା ନଗରପାଳିକା ଅଞ୍ଚଳର ଅର୍ଦ୍ଧେକ ଅଞ୍ଚଳ ଲୋକ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ପୁଣି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ଲୋକେ ମଧ୍ୟ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ଦଶାହ, ଶ୍ରାଦ୍ଧ କାର୍ଯ୍ୟ ପାଇଁ ପୁରୁଣା ପଡ଼ା, ହିଲ ଟାଉନ୍, ବଡ଼ପଡ଼ା, ପରଦେଶୀ ପଡ଼ା, ଆମଗଛ ପଡ଼ା ଆଦି ଅନେକ ପଡ଼ା ଲୋକେ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ଅଥଚ ନଗରପାଳିକା କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ପୁରୁଣା ପଡ଼ା ପୋଖରୀ ଉନ୍ନତି ହୋଇପାରୁନାହିଁ।

୨୦୨୪ରେ ସମ୍ପୂର୍ଣ ପାଣି ଛଡ଼ା ଯାଇ ପୋଖରୀରୁ ମାଟି ଖୋଲାଗଲା। ହେଲେ ତତ୍କାଳୀନ ନଗରପାଳଙ୍କ ନିଜ ଲୋକମାନେ ଲୋକଦେଖାଣିଆ ଭାବେ ପୋଖରୀ ଖୋଲି ଅନୁଦାନ ସାରିଦେଲେ। ଏବେ ପୋଖରୀରେ ପାଣି ଅଛି ହେଲେ ପାହାଚ ନାହିଁ। ଏଣୁ ଲୋକେ ପୋଖରୀ ଭିତରକୁ ଓହ୍ଲାଇ ପାରୁନାହାନ୍ତି। ଫଳରେ ପୁରୁଣା ପଡ଼ା ପୋଖରୀ “ସର୍କସ ର ମୌତ କା କୁଆଁ ” ଭଳି ହେଇଛି। ଏସଂକ୍ରାନ୍ତରେ ପୁରୁଣାପଡ଼ା ଅଞ୍ଚଳବାସୀ ଏକାଧିକବାର ନଗରପାଳିକା ନିକଟରେ ବହୁବାର ଅଭିଯୋଗ କରିଛନ୍ତି।

Share